ନୂଆଦିଲ୍ଲୀ: ସି ଜିନପିଙ୍ଗ ତୃତୀୟ ଥର ଚୀନର ରାଷ୍ଟ୍ରପତି ହୋଇଛନ୍ତି। ଦୀର୍ଘ ସମୟର ପରମ୍ପରାକୁ ଭାଙ୍ଗି ଜିନପିଙ୍ଗଙ୍କୁ ପାର୍ଟି ନେତୃତ୍ଵ ପାଇଁ ପାଞ୍ଚ ବର୍ଷର ତୃତୀୟ କାର୍ଯ୍ୟକାଳ ଦିଆଯାଇଛି। ତାଙ୍କୁ ସାତ ଜଣିଆ ସ୍ଥାୟୀ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। କମିଟି ଜିନପିଙ୍ଗଙ୍କୁ ନିଜ ଯୋଜନାକୁ କାର୍ଯ୍ୟରେ ରୂପାନ୍ତରିତ କରିବାର ସ୍ଵାଧୀନତା ଦେଇଛନ୍ତି। ତୃତୀୟ ଥର ଚୀନର ଗାଦି ସି ଜିନପିଙ୍ଗଙ୍କ ହାତକୁ ଯିବା ଦୁନିଆ ପାଇଁ ବଡ ସମସ୍ୟା ହୋଇପାରେ। ବିଶେଷଜ୍ଞ ଚେତାଇ ଦେଇଛନ୍ତି ଯେ, ଜିନପିଙ୍ଗଙ୍କ ତୃତୀୟ କାର୍ଯ୍ୟକାଳରେ ଦୁନିଆକୁ କାରବାର, ସୁରକ୍ଷା ଏବଂ ମାନବାଧିକାର ପ୍ରସଙ୍ଗ ଉତ୍ତେଜନାର ସାମ୍ନା କରିବାକୁ ପଡିପାରେ।
ବିଶ୍ଳେଷକଙ୍କ କହିବା କଥା ଜିନପିଙ୍ଗ ନିଜ ଦେଶରେ ଆହୁରି କଡା ନିୟନ୍ତ୍ରଣ କରୁଛନ୍ତି ଏବଂ ବିଦେଶରେ ଚୀନର ପ୍ରାଧ୍ୟାନ୍ୟ ବିସ୍ତାର ପାଇଁ ନିଜ ଆର୍ଥିକ ସ୍ଥିତିର ବ୍ୟବହାର କରୁଛି। ଚୀନ ତାର ମେଣ୍ଟ ଦେଶ, ବୈଶ୍ଵିକ ସୁରକ୍ଷା, ଆର୍ଥିକ ନୀତିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଆମେରିକା ଅଭିଯୋଗ କରି ଆସିଛି।
ରୋହିଙ୍ଗ୍ୟା ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଚୀନ ମିଳିତ ଜାତିସଂଘର ପରିଭାଷାକୁ ବଦଳାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ଓ୍ଵିଲିୟମ କେଲେହନଙ୍କ ଅନୁସାରେ ଜିନପିଙ୍ଗଙ୍କ ମତରେ ବିଶ୍ଵ ବ୍ୟବସ୍ଥା ଧ୍ଵସ୍ତ ହେବାରେ ଲାଗିଛି। ଏସବୁ ସମସ୍ୟାର ସମାଧାନ ହେଉଛି ଚୀନ। ଜିନପିଙ୍ଗ ଚୀନର ଶୈଳୀକୁ ସମଗ୍ର ଦୁନିଆରେ ଲଦି ଦେବାକୁ ଚାହାନ୍ତି। ଫଳରେ ସମଗ୍ର ଦୁନିଆରେ ଏହାର ନକରାତ୍ମକ ପ୍ରଭାବ ପଡିବ।
ଏସିଆ ସୋସାଇଟିର ଅଧ୍ୟକ୍ଷ ତଥା ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ କେଭିଡ୍ ରଡ୍ କହିଛନ୍ତି, ଜିନପିଙ୍ଗ୍ଙ୍କ ରୁଢିବାଦୀ ଚିନ୍ତାଧାରା ଉପରେ ବିରାମ ଲାଗିବା ଉଚିତ୍। ଜିନପିଙ୍ଗଙ୍କ ଶାସନ ଅମଳରେ ବିରୋଧୀଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଛି, ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଛି ଏବଂ ହଂକଂରେ ଜନ ଆନ୍ଦୋଳନକୁ ନିର୍ମମ ଭାବେ ଦମନ କରାଯାଇଛି।