ଗୃହବନ୍ଦୀ ଖବର ମଧ୍ୟରେ ସାମ୍ନାକୁ ଆସିଲେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍, ପରିଦର୍ଶନ କଲେ ପ୍ରଦର୍ଶନୀ

Published By : Prameya-News7 Bureau | September 28, 2022 IST

ବେଜିଂ ୨୮।୯: ଉଜବେକିସ୍ତାନର ଅନୁଷ୍ଠିତ ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀରୁ ସେପ୍ଟେମ୍ବର ୧୬ରେ ଫେରିବା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପ୍ରଥମ ଥର ସାର୍ବଜନିକ କାର୍ଯ୍ୟକ୍ରମରେ ଦେଖା ଯାଇଛନ୍ତି। ଆଗାମୀ ମାସରେ ଚୀନ୍‌ କ୍ଷମତାସୀନ ଦଳର ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ସାର୍ବଜନିକ ଭାବେ ଦେଖା ନଦେବା ନେଇ ଚର୍ଚ୍ଚାରେ ଜିନପିଙ୍ଗ୍ ମଙ୍ଗଳବାର କମ୍ୟୁନିଷ୍ଟ ପାର୍ଟିର ଏକ ପ୍ରଦର୍ଶନୀରେ ଯୋଗ ଦେଥିବା ଦେଖାଯାଇଛନ୍ତି।

ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ ଏସସିଓରୁ ଫେରିବା ପରେ ରାଷ୍ଟ୍ରପତି ୭ ଦିନ କ୍ୱାରେଣ୍ଟାଇନରେ ଥିଲେ। ତେବେ ଏହାକୁ ନେଇ ସିପିସିରେ ଆଭ୍ୟନ୍ତରିଣ ଅସନ୍ତୋଷର ଆକଳନ କରାଯାଉଥିଲା। ସିହ୍ନୁଆ ଖବର ଅନୁସାରେ ଜିନପିଙ୍ଗ୍ ଗତ ଦଶକ କାଳରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଓ ଦେଶର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଦର୍ଶାଉଥିବା ପ୍ରଦର୍ଶନୀ ଦେଖିବାକୁ ମଙ୍ଗଳବାର ଯାଇଥିଲେ।

ତେବେ ଦେଶରେ କୋଭିଡ ସତର୍କତା ସ୍ୱରୂପ ବାହାରୁ ଆସିଲେ କ୍ୱାରେଣ୍ଟାଇନ ରହିବାର ନିୟମ ରହିଛି। ରାଷ୍ଟ୍ରପତି ନିଜେ ଏହି ନୀତିର ସମର୍ଥକ, ଏଣୁ ଏସସିଓ ସମ୍ମିଳନୀରୁ ଫେରିବା ପରେ ରାଷ୍ଟ୍ରପତି ୭ ଦିନ କ୍ୱାରେଣ୍ଟାଇନରେ ଥିଲେ। ସେପଟେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟି (ସିପିସି) ପାଞ୍ଚ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ (ଅଧିବେଶନ) ଲାଗି ୩ହଜାର ୨୦୦ ପ୍ରତିନିଧିଙ୍କ ମନୋନୟନ ସରିଥିବା ରବିବାର ଘୋଷଣା କରିଥିଲା। ଏହି କଂଗ୍ରେସରେ ଜିନପିଙ୍ଗଙ୍କୁ ତୃତୀୟ କାର୍ଯ୍ୟକାଳ ଲାଗି ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।

ହେଲେ ଏହା ପୂର୍ବରୁ ସାର୍ବଜନିକ ଜୀବନରେ ଜିନପିଙ୍ଗ ଦେଖା ନଯିବା ସିପିସିରେ କୌଣସି ପ୍ରକାର ଅସନ୍ତୋଷର ଅନୁମାନ କରାଯାଉଥିଲା। ତେବେ ସିପିସି ଏହାକୁ ଅଗ୍ରାହ୍ୟ କରିଦେବା ସହ ପ୍ରତିନିଧିମାନଙ୍କ ଚୟନ ନୂଆ ଯୁଗ ଲାଗି ଚୀନ୍ ବିଶେଷତାର ସମାଜବାଦକୁ ନେଇ ଜିନପିଙ୍ଗଙ୍କ ବିଚାରଧାରା ଓ ପାର୍ଟିର ସମ୍ବିଧାନ ଅନୁସାରେ କରାଯାଇଥିବା ବୟାନରେ କହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.