ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରା ଆରମ୍ଭ, ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ

Published By : Prameya-News7 Bureau | August 08, 2022 IST

ପୁରୀ ୦୮।୦୮: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାର ମାସରେ ତେର ଯାତ ଅନୁଷ୍ଠିତ ହୁଏ । ତାମଧ୍ୟରୁ ଝୁଲଣଯାତ୍ରା ଅନ୍ୟତମ। ରବିବାର ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡି ଓ ଘରେ ମଧ୍ୟ ଝୁଲଣଯାତ୍ରା ଆରମ୍ଭ ହୋଇଛି। ଭାଦ୍ରବ କୃଷ୍ନପକ୍ଷ ପ୍ରତିପଦା ତିଥି ପର୍ଯ୍ୟନ୍ତ ଏହି ଯାତ୍ରା ଚାଲୁ ରହିବ।

{"id":667928,"sizeSlug":"full","linkDestination":"none"}

ତେବେ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଦିନ ଶ୍ରୀମନ୍ଦିରରେ ସଂଧ୍ୟାଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରିବେ। ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନମୋହନ ପ୍ରାବୃଟ ରାସ କରୁଛନ୍ତି। ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ। କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତ ଥିବା ମଠ ମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଛି।‌

{"id":667929,"sizeSlug":"full","linkDestination":"none"}

ପ୍ରାୟତଃ ଏକମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣରେ ଲାଗିଥାନ୍ତି। ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଥାଏ। ଏହି କୁଞ୍ଜରେ କେବଳ ଦେବାଦେବୀ ନୁହନ୍ତି ସଖୀ, ପଶୁ, ପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ। ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଛି। ମଠମନ୍ଦିର ମାନଙ୍କରେ ଝୁଲଣ କୁଞ୍ଜ ତିଆରି ହୋଇଛି।‌ ମେଢ, ଫୁଲ,‌ ଜରି ଜମ୍ବୁରା ଓ ସୋଲର ଆକର୍ଷଣୀୟ କାରୁକାର୍ଯ୍ୟ, ଶୁଆ ସାରୀ, ବଣିପାରା, ଗୁଣ୍ଡୁଚିମୂଷା, ମାଙ୍କଡ଼ ସହ ବିଭିନ୍ନ ବନ୍ୟପ୍ରାଣୀ ଝୁଲଣ କୁଞ୍ଜରେ ଖଞ୍ଜା ଯାଇଛନ୍ତି। ଝୁଲଣକୁଞ୍ଜ ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.