ଆରମ୍ଭ ହୋଇଛି ଝୁଲଣ ଯାତ୍ରା, ଝୁଲଣ ମଣ୍ଡପରେ ଝୁଲୁଛନ୍ତି ପ୍ରଭୁ ଅଲାରନାଥ

Published By : Prameya-News7 Bureau | August 08, 2022 IST

ବ୍ରହ୍ମଗିରି ୦୮/୦୮: ଶ୍ରାବଣ ମାସ ଶୁକ୍ଲ ଦଶମୀ ତିଥୀ ଗତକାଲିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରା । ବ୍ରହ୍ମଗିରିର ମହାପ୍ରଭୁ ଅଲାରନାଥଙ୍କ ପୀଠରେ ମହାଆଡମ୍ବର ରେ ଆରମ୍ଭ ହୋଇଯାଇଛି ଝୁଲଣ ପର୍ବ । ଝୁଲଣ କୁରେ ଝୁଲିଛି ମହାପ୍ରଭୁ ଶ୍ରୀ ଅଲାରନାଥ । ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ସରିବା ପରେ ମନ୍ଦିର ପୁରୋହିତଙ୍କ ଦ୍ୱାରା ଝୁଲଣ ମଣ୍ଡପରେ ହୋମ କାର୍ଯ୍ୟ ନୀତି ବଢିଥିଲା । ପରେ ମହାପ୍ରଭୁଙ୍କ ବିଜୟ ବିଗ୍ରହଙ୍କୁ ସୁତନ୍ତ୍ର ବେଶ କରାଯାଇଥିଲା ।

ସଂନ୍ଧ୍ୟାରେ ମହାପ୍ରଭୁଙ୍କ ବିଜୟ ବିଗ୍ରହ ମଦନମୋହନ ଏବଂ ଲକ୍ଷ୍ମୀ ସରସ୍ୱତୀଙ୍କୁ ସେବାୟତମାନେ ବାହୁବିଜେ କରାଇ ଝୁଲଣ କୁରେ ଉପବେଶନ କରାଇଥିଲେ । ମହାପ୍ରଭୁଙ୍କୁ ଝୁଲଣ କୁରେ ଝୁଲୁଥିବାର ଦୁଲ୍ଲଭ ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଗତ ଦୁଇ ବର୍ଷ କରୋନା ମହାମାରି ପାଇଁ ଶ୍ରଦ୍ଧାଳୁମାନେ ଏହି ଦର୍ଶନରୁ ବଂଚିତ ଥିଲେ ।

ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ରଘୁରାଜପୁରର ସ୍ୱସ୍ତିଶ୍ରୀ ଗୋଟିପୁଅ ଓ ଓଡିଶୀ ନୃତ୍ୟ ପରିଷଦ ଟିମ ଦ୍ବାରା ପରିବେଷଣ କରାଯାଇଥିଲା । ଗୀତ ଗୋବିନ୍ଦ,ଆହେ ନୀଳ ଶଇଳ, ଦଶାବତାର, ଝୁଲି ରଙ୍ଗେ ରାଇ ସଙ୍ଗେ ଶ୍ୟାମ ସୁନ୍ଦର ଆଦି ବିଭିନ୍ନ ନୃତ୍ୟ ପ୍ରଥମ ସଂନ୍ଧ୍ୟାରେ ବେଶ ଆକର୍ଷଣ ହୋଇଥିଲା । ଏହି ଝୁଲଣ ପର୍ବ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତ୍ୟେକ ସଂନ୍ଧ୍ୟାରେ ମନ୍ଦିର ପରିଚାଳନା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.