ବନ୍ଦ୍ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | September 26, 2022 IST

ରାୟଗଡା ୨୬/୦୯: ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ରାଜ୍ୟର ଦ୍ୱିତୀୟ ଝୁଲାପୋଲ ବନ୍ଦ ହୋଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ବନ୍ଦ କରିଛି ପ୍ରଶାସନ । ନାଗାବଳୀ ନଦୀ ଉପରେ ଚେକାଗୁଡା ଠାରୁ ମାରିଗୁଡା ପର୍ଯ୍ୟନ୍ତ ଏହି ପୋଲ ନିର୍ମାଣ ହୋଇଥିଲା । ଗମନାଗମନ ପାଇଁ ନିର୍ମାଣ ହୋଇଥିବାର ପୋଲ ପରବର୍ତ୍ତୀ ସମୟରେ ପାଲଟିଗଲା ପର୍ଯ୍ୟଟନ ସ୍ଥଳୀ ।

୨୦୧୧ ମସିହାରେ ଆଇଏପି ଯୋଜନାରେ ଏକ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ ହୋଇଥିଲା । ୧୦୦ ଫୁଟ ଉପରେ ନିର୍ମିତ ୧୫୧ ମିଟର ଲମ୍ବର ଝୁଲାପୋଲ ଲୁହା ତାରରେ ନିର୍ମାଣ ହୋଇଥିଲା । ହେଲେ ଏହି ପୋଲରେ ଲଗାତାର ଦୁର୍ଘଟଣା ଘଟିଲା । ଗତ ୫ ବର୍ଷ ମଧ୍ୟରେ ନଦୀରେ ବୁଡି ମରିଛନ୍ତି ୨୭ ରୁ ଅଧିକ ଲୋକ ।

ପର୍ଯ୍ୟଟକ ମାନେ ବୁଲିବାକୁ ଆସିବା ବେଳେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନଥିବା କାରଣରୁ ଏହିଭଳି ଅଘଟଣ ଘଟିଲା । କିଛି ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ବୁଲିବାକୁ ଆସିଥିବା ପୁଅ ନଦୀରେ ଭାସି ଯାଉଥିଲା ବେଳେ ପୁଅକୁ ବଞ୍ଚାଇବାକୁ ଯାଇ ନଦୀ ଗର୍ଭରୁ ୨ ଘଣ୍ଟା ପରେ ଅଗ୍ନିସମ ବିଭାଗ ବାପାକୁ ଉଦ୍ଧାର କରିଥିଲେ । ଏ‌ହିଭଳି କିଛି ଦୁର୍ଘଟଣା ପରେ ପ୍ରଶାସନର ଏବେ ନିଦ ଭାଙ୍ଗିଛି ।

ଶେଷରେ ପ୍ରଶାସନ ଏହି ପଯ୍ୟଟନ ସ୍ଥଳକୁ ସିଲ୍ କରିବା ସହ ପଯ୍ୟଟନ ରେ ଯେଉଁମାନେ ବୁଲିବାକୁ ଆସୁଥିଲେ ସେମାନଙ୍କ ଉପରେ ରୋକ୍ ଲଗାଇଛି । ଏଥିସହ ଝୁଲାପୋଲକୁ ବନ୍ଦ କରାଯାଇଛି । ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି । ହେଲେ ଏହା କିଛିଦିନ ନିମନ୍ତେ ବନ୍ଦ କରାଯାଇଛି ବୋଲି ଉପଜିଲ୍ଲାପାଳ ଭୀମସେନ ଶବର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.