ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ କରାଗଲା ନାମିତ; କେନ୍ଦ୍ର କ୍ୟାବିନେଟ୍ ଦେଲା ମଞ୍ଜୁରୀ

Published By : Prameya-News7 Bureau | November 01, 2018 IST

ଝାରସୁଗୁଡ଼ା ୧/୧୧:  ଝାରସୁଗୁଡା ବିମାନବନ୍ଦର ହେଲା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଅକ୍ଟୋବର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ସେପ୍ଟେମ୍ବର ୨୨ରେ ଉଦଘାଟିତ ହୋଇଥିଲା ଝାରସୁଗୁଡ଼ା ବିମାନବନ୍ଦର । ଓଡ଼ିଶାର ଦ୍ବିତୀୟ ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସେହି ସମୟରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଏଣେ ଏଠାରେ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଥିଲା । ଝାରସୁଗୁଡା ବିମାନ ବନ୍ଦରରେ ନିୟମିତ ବିମାନ ଉଡାଣ କରିବାକୁ ଅନୁରୋଧ କରିଥିଲେ ନବୀନ । ଗତ ଅକ୍ଟୋବର ୬ ତାରିଖରୁ ଏଠାରୁ ଏୟାର ଓଡିଶା ବିମାନ ଉଡାଣ କରି ନାହିଁ ବୋଲି ମୋଦିଙ୍କୁ ଅବଗତ କରାଇଥିଲେ । ଉଡାଣ ସମେତ ବାଣିଜ୍ୟିକ ବିମାନ ଉଡାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ । ଝାରସୁଗୁଡା ବିମାନବନ୍ଦର  ନାଁ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.