ଝାଡ଼ଖଣ୍ଡ ଯୁବକ ରଟେଇ ଥିଲେ ତାମିଲନାଡୁରେ ହିନ୍ଦୀଭାଷୀ ଶ୍ରମିକଙ୍କ ଉପରେ ନିର୍ଯାତନାର ଗୁଜବ: ପୋଲିସ
8/03/2023 at 8:46 PM

ଚେନ୍ନାଇ ୮।୩: ତାମିଲନାଡୁରେ ହିନ୍ଦୀ ଭାଷୀ ଶ୍ରମିକଙ୍କ ସହ ମାରପିଟ ମାମଲାରେ ରାଜ୍ୟ ପୋଲିସ ବଡ଼ ରହସ୍ୟ ଉଦଘାଟନ କରିଛି। ତାମିଲନାଡୁ ପୋଲିସ ଝାଡଖଣ୍ଡ-ବିହାରର ପ୍ରବାସୀ ଶ୍ରମିକଙ୍କ ପ୍ରତି ମାରପିଟର ଫେକ୍ ଭିଡିଓ ସେୟାର କରିଥିବା ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଝାଡଖଣ୍ଡ ରାଜ୍ୟର ବାସିନ୍ଦା। ତେବେ ଗିରଫ ଯୁବକ ତାମିଲନାଡୁର କେଉଁ ଜିଲ୍ଲାରେ ରହୁଥିଲା ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହିଁ। ହେଲେ ଗିରଫ ଯୁବକର ନାମ ମନୋଜ ଯାଦବ ବୋଲି କହିଛି।
ତାମିଲନାଡୁର କୋୟମ୍ବାଟୁର ଓ ତିରୁପୁର ଜିଲ୍ଲାରୁ ୨ଟି ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଝାଡଖଣ୍ଡ ଓ ବିହାରର ପ୍ରବାସୀ ଶ୍ରମିକଙ୍କ ସହ ମାରପିଟ କରାଯାଉଥିବା ଓ ନିର୍ଯାତନା ଦିଆଯାଉଥିବାର ଦର୍ଶାଯାଇଥିଲା। ମନୋଜ ହିନ୍ଦୀରେ କଥାବାର୍ତ୍ତା ହେଲେ ମାରପିଟ କରାଯାଉଥିବାର କହିଥିଲା। ଭିଡିଓରେ ମନୋଜ ଓ ତା ସହିତ ଛିଡା ହୋଇଥିବା ଅନ୍ୟ ଯୁବକମାନେ ଏଥିଲାଗି ରାଜ୍ୟ ସରକାରଙ୍କୁ ସହାୟତା ନିବେଦନ ମଧ୍ୟ କରିଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଫଳରେ ବହୁ ସଂଖ୍ୟାରେ ଶ୍ରମିକ ତାମିଲନାଡୁ ଛାଡି ନିଜନିଜ ଘରକୁ ଫେରିବା ଆରମ୍ଭ କରିଥିଲେ। ଲୋକଙ୍କ ଏପରି ପଳାୟନ ତାମିଲନାଡୁର କଳକାରଖାନା ଉପରେ ପଡିବା ଆରମ୍ଭ କରିଥିଲା। କ୍ଷୁଦ୍ର ଓ କୁଟିର ଶିଳ୍ପ ଉପରେ ନକରାତ୍ମକ ପ୍ରଭାବ ପଡିବାରୁ ଅନେକ ବନ୍ଦ ହୋଇଯାଇଛି। ଗିରଫ ପରେ ମନୋଜ ଯାଦବ ଚମକାଇବା ଭଳି ତଥ୍ୟ ଦେଇଛି।
ମନୋଜ ଓ ତାଙ୍କ ସାଙ୍ଗମାନେ ଫେମସ ହେବା ପାଇଁ ଏପରି କରିଥିଲେ ବୋଲି ତାମିଲନାଡୁ ପୋଲିସ କହିଛି। ତାମ୍ବରମ ପୋଲିସ ମନୋଜକୁ ଗିରଫ କରିବା ପରେ ସେ ଏବେ ବିଚାରବିଭାଗୀୟ ହାଜତରେ ରହିଛି। ମନୋଜ ତାମିଲନାଡୁରେ ଗତ ୨୬ ବର୍ଷ ହେଲା ରହି ଆସୁଥିବା ପୋଲିସକୁ କହିଛି। ହେଲେ କେବେ କୌଣସି ପ୍ରକାର ସମସ୍ୟାରେ ପଡି ନାହିଁ। ତେବେ ଲୋକପ୍ରିୟତା ଲାଗି ସେ ଏପରି କରିଥିବା ପୋଲିସକୁ କହିଛି। ଏଥିଲାଗି ମନୋଜ ଯାଦବ କ୍ଷମା ନିବେଦନ ମଧ୍ୟ କରିଛି। ମନୋଜର ଶସ୍ତା ଲୋକପ୍ରିୟତା ନିଶା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସମସ୍ୟାରେ ପକାଇଛି। ଯାହାକୁ ନେଇ ବିହାର, ଝାଡଖଣ୍ଡ ଓ ଉତ୍ତର ପ୍ରଦେଶରେ ତୀବ୍ର ରାଜନୀତି ମଧ୍ୟ ହୋଇଥିଲା।