ଲଡୁ ଖୁଆଇ ପୁରୁଷଙ୍କୁ ମଦ୍ୟପାନ ଛଡାଉଛନ୍ତି ଏହି ମହିଳା

Published By : Prameya-News7 Bureau | July 23, 2019 IST

ଝାରଖଣ୍ଡ ୨୩|୭: ପୁରୁଷଙ୍କୁ ନିଶା ସେବନରୁ ଦୂରାଇ ରଖିବା ପାଇଁ ମହିଳାମାନେ ଏକ ନିଆରା ଉପାୟ ଆରମ୍ଭ କରିଛନ୍ତି। ମହିଳାମାନେ ପୁରୁଷମାନଙ୍କୁ ଲଡୁ ଖୁଆଇ ମଦ ଛଡାଉଛନ୍ତି। ଏଭଳି ଘଟଣା ହେଉଛି ଝାରଖଣ୍ଡ ଚତରା ଜିଲାରେ। ଏଠାର ୨ଟି ଗାଁର ମହିଳା ମିଶି ମହୁଲର କିଣି ନେଉଛନ୍ତି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ମଦ ତିଆରି ପାଇଁ ବଜାରରେ ଯେପରି ଆଉ ମହୁଲ ମିଳିବ ନାହିଁ । ଏହି ମହିଳାଙ୍କ କହିବା ଅନୁସାରେ ବଜାରରେ ମହୁଲ ନମିଳିଲେ ମଦ ତିଆରି ହେବ ନାହିଁ।

ଅପରପକ୍ଷରେ ମହୁଲ କିଣି ସେଥିରୁ ମହିଳାମାନେ ଲଡୁ ତିଆରି କରୁଛନ୍ତି। ମହୁଲରୁ ତିଆରି ହୋଇଥିବା  ପ୍ରତି ଲଡୁ ୫ ଟଙ୍କାରେ ବିକ୍ରି କରୁଛନ୍ତି ଏହି ମହିଳାମାନେ।  ଏଥିରୁ ଟଙ୍କା ରୋଜଗାର ହେବା ସହ ପରିବାରର ପୁରୁଷ ଲୋକଙ୍କ ଜୀବନରେ ସୁଧାର ଆଣୁଛନ୍ତି ଏହି ମହିଳା।   

ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ଝାରଖଣ୍ଡର ମସୁରିଆ ଓ ଗିଧୌର ଗାଁର ୬୦ ଜଣ ମହିଳା ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ମହିଳାମାନେ ଅନ୍ୟ ଗାଁର ଲୋକଙ୍କୁ ମହୁଲ ଲଡୁ ତିଆରି କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଅଖଣ୍ଡ ଜ୍ୟୋତି ନାମକ ସ୍ବୟଂସେବୀ ସଂସ୍ଥା ନାବାର୍ଡ ସହଯୋଗରେ ମହିଳାମାନଙ୍କୁ ଏନେଇ ପ୍ରଶିକ୍ଷଣ ଦେଉଛି।

ଏହି କାରବାର ତଥା ଅଭିଯାନ ସହ ସଂପୃକ୍ତ ଲଲିତା ଦେବୀଙ୍କ କହିବା ଅନୁସାରେ ୧କିଲୋ ମହୁଲରୁ ୩୫ଟି ଲଡୁ ତିଆରି ହୁଏ। ୨ଟି ଗାଁର ମହିଳା ମିଶି ପ୍ରତ୍ୟେକ ଦିନ ୨୦୦୦ ଲଡୁ ତିଆରି କରନ୍ତି।  ଏହି ଲଡୁ ହୋଟେଲ ଓ ଦୋକାନରେ ୫ ଟଙ୍କା ପ୍ରତି ପିସ୍‌ ବିକ୍ରି ହୋଇଥାଏ। ୨୦୦୦ ଲଡୁ ତିଆରି କରିବା ପାଇଁ ୫୭-୬୦ କିଲୋ ମହୁଲ ଆବଶ୍ୟକ ହୋଇଥାଏ। ମହିଳାମାନେ ୨୫-୨୮ ଟଙ୍କାରେ ୧କିଲୋ ମହୁଲ କିଣନ୍ତି।

ଗୋଟେ ଲଡୁ ତିଆରି ହେବା ପାଇଁ ୭୧ ପଇସାର ମହୁଲ ଲାଗେ। ଅନ୍ୟାନ୍ୟ ସାମଗ୍ରୀ ମିଶାଇ ଗୋଟେ ଲଡୁ ପାଇଁ ୩ରୁ ୩ ଟଙ୍କା୫୦ ପଇସା ଖର୍ଚ୍ଚ ହୁଏ। ଏହା ଦ୍ବାରା ପ୍ରତି ଦିନ ୩-୪ ହଜାର ଟଙ୍କାର ଲାଭ ହୁଏ।

ଲଡୁ ତିଆରି କରିବା ପାଇଁ ଅଧିକ ପରିଶ୍ରମ ମଧ୍ୟ ହୋଇନଥାଏ। ପ୍ରଥମେ ମହୁଲକୁ ପାଣିରେ ପକାଇ ଫୁଲାଯାଏ। ଏହା ପରେ ତାକୁ ସୁଖାଇ ଘିଅରେ ଛଣା ଯାଏ। ଛଣା ଯାଇଥିବା ମହୁଲରେ ଡ୍ରାଏ ଫ୍ରୁଟ୍‌ସ, ଅଳେଇଚ, ଧନିଆ ମିଶାଇ କୁଟା ଯାଏ। ଏହା ପରେ ଲଡୁ ତିଆରି କରାଯାଏ। ଏଠାରେ ମହୁଲର ବହୁତ ଚାହିଦା ରହିଛି। ସେଥିପାଇଁ ଗ୍ରାମବାସୀ ରାତିରେ ଜଙ୍ଗଲକୁ ଯାଇ ମହୁଲ ଆଣନ୍ତି ଓ ତାକୁ ସୁଖାଇ ୨୫-୩୦ ଟଙ୍କାରେ ପ୍ରତି କିଲୋ ବିକ୍ରି କରନ୍ତି। ମହୁଲ ବିକ୍ରିରେ ଘରର ୪ ମାସର ଖର୍ଚ୍ଚ ଚଳିଯାଏ।   ଅନେକ ଫାଇଦା ହେଉଥିବାରୁ ଏଠାର ଲୋକେ ମହୁଲ ବ୍ୟବସାୟ ଭିନ୍ନ ଭିନ୍ନ ଉପାୟରେ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.