ଝାଡ଼ଖଣ୍ଡ: ରାସ୍ତା ମଝିରେ ଓଲଟିଲା ଶ୍ରମିକ ବୋଝେଇ ପିକଅପ୍‌ ଭ୍ୟାନ୍, ୭ ମୃତ, ୮ ଆହତ

Published By : Prameya-News7 Bureau | January 12, 2023 IST

ସରାୟକେଲା ୧୨।୧: ଝାଡ଼ଖଣ୍ଡ ସଢେଇ କଳା ଖରସୁଆଁରେ ଗୁରୁବାର ସକାଳେ ଏକ ଶ୍ରମିକ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡିଛି। ଫଳରେ ପିକଅପ୍‌ରେ ବସି ଯାତ୍ରା କରୁଥିବା ଶ୍ରମିକଙ୍କ ମଧ୍ୟରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରତର ଆହତଙ୍କୁ ଜାମସେଦପୁର ସ୍ଥାନାନ୍ତରଣ କରାଯାଇଛି।

ସୂଚନାରୁ ପ୍ରକାଶ ଯେ ପିକଅପ୍ ଭ୍ୟାନ୍‌ ଚାଇଁବସାରୁ ନିର୍ମାଣ ଶ୍ରମିକଙ୍କୁ ନେଇ ଗୋବିନ୍ଦପୁର ଯିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛି। ପିକଅପ୍ ଚାଇଁବସା-ରାଜନଗର ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ଘନ କୁହୁଡି ଯୋଗୁ ଦୁର୍ଘଟଣା ଶିକାର ହୋଇଛି। ପିକଅପ୍ ରାସ୍ତାରେ ନିୟନ୍ତ୍ରଣ ହରାଇ ଓଲଟି ପଡିଛି। ଦୁର୍ଘଟଣା ବେଳେ ପିକଅପରେ ୨୦ ଜଣ ଶ୍ରମିକ ଥିଲେ। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୫ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି।

ଦୁର୍ଘଟଣା ସୂଚନା ମିଳିବାମାତ୍ରେ ରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଥିଲା। ଏହି ଦୁର୍ଘଟଣା ମୁଖ୍ୟମାର୍ଗର ଖୈରବନୀ ଗାଁ ନିକଟରେ ହୋଇଛି। ଘନ କୁହୁଡିରେ ଚାଳକ ନିୟନ୍ତ୍ରଣ ହରାଇବାରୁ ପିକଅପ ଓଲଟି ପଡିଥିବା କୁହାଯାଇଛି। ମୃତାହତ ଶ୍ରମିକଙ୍କ ଚିହ୍ନଟ ହୋଇ ନାହିଁ। ସେମାନେ କେଉଁ ନିର୍ମାଣ କମ୍ପାନୀରେ କାମ କରୁଥିଲେ ଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.