ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ଆବେଦନକୁ ଖାରଜ କଲେ ଝାଡ଼ଖଣ୍ଡ ହାଇକୋର୍ଟ

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ବଡ଼ ଝଟକା ଲାଗିଛି । ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ସହ ଏହି ମାମଲା ଜଡ଼ିତ । ରାହୁଲ ଗାନ୍ଧୀ ନିମ୍ନ ଅଦାଲତଙ୍କ ପକ୍ଷରୁ ଜାରି ସମନ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । କୋର୍ଟ ଯାଚିକା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ।

ଗତ ମାସରେ ଝାଡ଼ଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଯାଚିକା ଉପରେ ଶୁଣାଣି କରି ନିମ୍ନ ଅଦାଲତଙ୍କୁ ରେକର୍ଡ ମାଗିଥିଲେ । ଯାଚିକାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନକ ଟିପ୍ପଣୀ ଉପରେ ବିଜେପିର ଜଣେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦାଖଲ ମାନହାନି ମାମଲାରେ ରାଞ୍ଚି ଜିଲ୍ଲା କୋର୍ଟଙ୍କ ଆଦେଶ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା ।

ପଢନ୍ତୁ: ‘ନିଜର ଫାଇଦା ପାଇଁ କିଛି ନେତା ମହିଳାଙ୍କୁ ଅପମାନିତ କରନ୍ତି’, ଏମିତି କହି ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

ବିଜେପି ନେତା ନବୀନ ଝା ୨୦୧୮ ଏପ୍ରିଲ ୨୮ରେ ରାଞ୍ଚି କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ ଅଭିଯୋଗ ଆଣିଥିଲେ ଯେ ସେହି ବର୍ଷ ମାର୍ଚ୍ଚ ୧୮ରେ କଂଗ୍ରେସ ପ୍ଲାନେରୀ ଅଧିବେଶନରେ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ଭାଷଣ ଦେଇଥିଲେ ଏବଂ ଶାହଙ୍କୁ ହତ୍ୟା ଅଭିଯୁକ୍ତ ବୋଲି କହିଥିଲେ । ଅଭିଯୋଗରେ କୁହାଯାଇଥିଲା ଯେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ବୟାନ ମିଛ ଏବଂ ଏହା କାର୍ଯ୍ୟକର୍ତ୍ତା, ସମର୍ଥକ ଏବଂ ନେତାଙ୍କ ଅପମାନ ଯେଉଁମାନେ ବିଜେପି ପାଇଁ ନିସ୍ୱାର୍ଥ ଭାବରେ କାମ କରୁଛନ୍ତି ।

ତେବେ ରାଞ୍ଚିର ମାଜିଷ୍ଟ୍ରେଟ୍ କୋର୍ଟ ଝାଙ୍କ ଅଭିଯୋଗକୁ ଖାରଜ କରିଥିଲେ । ଏହାପରେ ସେ ରାଞ୍ଚିର ନ୍ୟାୟିକ କମିଶନରଙ୍କ ସାମନାରେ ଅପରାଧିକ ପୁନଃନୀରକ୍ଷଣ ଯାଚିକା ଦାଖଲ କରିଥିଲେ । ରାଞ୍ଚି ନ୍ୟାୟିକ ଆୟୁକ୍ତ ୨୦୧୮ ସେପ୍ଟେମ୍ୱର ୧୫ରେ ଏହାକୁ ଅନୁମତି ଦେଇଥିଲେ । ୨୦୨୩ ମେ ୧୬ରେ ଶୁଣାଣି ବେଳେ ରାହୁଲ ଗାନ୍ଧୀ ଯୁକ୍ତି ରଖିଥିଲେ ଯେ ଆବେଦନକାରୀଙ୍କୁ ମାମଲାରେ ପୀଡିତ ବ୍ୟକ୍ତି ବୋଲି ଧରା ଯାଇପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.