ଅଙ୍କିତା ମର୍ଡର ପରେ ଏବେ ଦୁମକାରେ ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା, ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଦେହ

Published By : Prameya-News7 Bureau | September 03, 2022 IST

ଦୁମକା: ଝାଡଖଣ୍ଡର ଦୁମକାରେ ଘର ଭିତରେ ପେଟ୍ରୋଲ ଢାଳି ଜୀବନ୍ତ  ଜାଳି ଦିଆଯାଇଥିବା ଅଙ୍କିତାଙ୍କ ମୃତ୍ୟୁ ମାମଲା ଲୋକଙ୍କ ମନରୁ ଏବେ ଆଉ ଜଣେ ଆଦିବାସୀ ନାବାଳିକାଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ନାବାଳିକାଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକଙ୍କ ବୟସ ପାଖାପାଖି ୧୪ ବର୍ଷ ହେବ। ସେ ଚାରି ମାସର ଗର୍ଭବତୀ ଥିବା ଜଣା ପଡିଛି।

ଦୁମକା ସହର ସଂଲଗ୍ନ ଶ୍ରୀଅମଡା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ଭୋର ସକାଳେ ଯେତେବେଳେ ଲୋକେ ପ୍ରାତଃ ଭ୍ରମଣରେ ଯାଉଥିଲେ, ଏହି ସମୟରେ ସେମାନଙ୍କର ନଜର ଗଛରେ ରଶି ଦ୍ଵାରା ଝୁଲୁଥିବା ଜଣେ ଝିଅର ମୃତଦେହ ଉପରେ ପଡିଥିଲା। ଲୋକେ ତୁରନ୍ତ ପୋଲିସକୁ ଏହାର ସୂଚନା ଦେଇଥିଲେ। ଦିଗଘି ପୋଲିସ୍ ତୁରନ୍ତ ଘଟଣାସ୍ଥଲରେ ପହଞ୍ଚି ମୃତଦେହ ନିଜ କବଜାକୁ ନେଇ ତଦନ୍ତ ଆରମ୍ଭ କରି ଦେଇଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଦୁମକା ସ୍ଥିତ ଫୁଲୋ ଝାନୋ ମେଡିକାଲ୍ କଲେଜ୍ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ରଙ୍ଗଲିଆର କୋଚିଅ ଡଗାଲରେ ରହୁଥିବା ନାବାଳିକା ଦୁମକାର ଜାମା ସ୍ଥିତ ନିଜ ମାଉସୀଙ୍କ ଘରେ କାମ କରୁଥିଲା। ଏହି ସମୟରେ ଅରମାନ ଅଂସାରୀ ନାମକ ଜଣେ ମୁସଲିମ ଯୁବକ ତାଙ୍କକୁ ପ୍ରେମ ଜାଲରେ ଫସାଇଥିଲା ଏବଂ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ନାବାଳିକା ବିବାହ ପାଇଁ ଚାପ ପକାଇବାରୁ ଏକ ଷଡଯନ୍ତ୍ର ଆଧାରରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଜାତୀୟ ଗଣମାଧ୍ୟମ ଖବରରୁ ପ୍ରକାଶ।

ମୁଫସିଲ ଥାନା ପୋଲିସ୍ ଏହି ମାମଲାରେ ଆଇପିସିର ଧାରା ୩୭୬, ୩୦୨ ସମେତ ପୋକ୍ସୋ ଆକ୍ଟ ଏବଂ ଏସସି-ଏସଟି ଆକ୍ଟ ଆଧାରରେ କେସ୍ ରୁଜୁ କରି ଅଭିଯୁକ୍ତ ଅରମାନକୁ ଗିରଫ କରିଛି। ଡିଆଇଜି ସୁଦର୍ଶନ ମଣ୍ଡଲ ଘଟଣା ବିଷୟରେ କହିଛନ୍ତି, ନାବାଳିକାଙ୍କ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.