ଗହଣା ଦୋକାନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ; ୭ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ
4/01/2023 at 4:07 PM

ଭୁବନେଶ୍ୱର ୦୪/୦୧: ଗହଣା ଦୋକାନରେ ମାଲିକଙ୍କୁ ଆକ୍ରମଣ ଓ ଲୁଟ୍ ଘଟଣାରେ ପୋଲିସକୁ ସଫଳତା ମିଳିଛି।ଏହି ଘଟଣାରେ ଆସିକା ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ମାଉଜର, ୬ଟି ଅଫୁଟା ଗୁଳି, ୩ଟି ବାଇକ୍, ୯ଟି ସ୍ମାର୍ଟ ଫୋନ୍, ୫ଟି କି ପ୍ୟାଡ୍ ଫୋନ୍, ଗୋଟିଏ ଛୁରୀ, ୩ଟି ତେଲେଙ୍ଗା କଟୁରି ଓ ସୁନା ଅଳଙ୍କାର ଜବତ କରାଯାଇଛି। ଏନେଇ ଗଞ୍ଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କର ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ପୋଲିସ କହିଛି।

ସୂଚନାଥାଉକି, ଆସିକାର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସରେ ଅଭିଯୁକ୍ତମାନେ ଏହି ଲୁଟ୍ପାଟ୍ କରିବା ସହିତ ମାଲିକଙ୍କୁ ଆକ୍ରମଣ କରିଥିଲେ। ଖବର ଅନୁସାରେ, ଗତ ଡିସେମ୍ବର ୧୫ରେ ଜୁଏଲାରି ମାଲିକ ପ୍ରଭାକର ପାତ୍ର ଓ ତାଙ୍କ ଝିଅଙ୍କୁ ଅଭିଯୁକ୍ତ ମାଉଜର ଦେଖାଇ ଆକ୍ରମଣ କରି ଗହଣା ଲୁଟିଥିଲେ। ଏନେଇ ପ୍ରଭାକର ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଏହାର ୧୫ଦିନ ପରେ ସମ୍ପୃକ୍ତ ଡ଼କାୟତ ଦଳକୁ ପୋଲିସ ଗିରଫ କରିଛି। ଏହି ଡକାୟତି ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ କରାଯାଇଥିଲା ବୋଲି ଅତିରିକ୍ତ ଏସପି କହିଛନ୍ତି।