ରିଟାୟାର ହେବ ଧୋନୀଙ୍କ 7 ନମ୍ବର ଜର୍ସି !
16/08/2020 at 3:55 PM

ମୁମ୍ବାଇ ୧୬।୮: ଅନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସ ଘଷଣା ପରେ ଏବେ ତାଙ୍କ ଜର୍ସିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ଧୋନୀଙ୍କ ଜର୍ସିକୁ ରିଟାୟର କରିପାରନ୍ତି। ଧୋନୀଙ୍କ ବିଦାୟୀ ପରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ଓ ବ୍ୟାଟସ୍ମ୍ୟାନ୍ ଦିନେଶ କାର୍ତ୍ତିକ ପୂର୍ବତନ ଅଧିନାୟକଙ୍କ ବିଦାୟକୁ ନେଇ ଏପରି ରାୟ ରଖିବାରେ ପ୍ରଥମ ଖେଳାଳି। ବିସିସିଆଇଙ୍କ ଶୀର୍ଷ ଅଧିକାରୀ ଶାନ୍ତା ରଙ୍ଗାସ୍ୱାମୀ ମଧ୍ୟ ଏହି ପ୍ରସ୍ତାବ ସହମତ ଓ ଏଥିପାଇଁ ଧୋନୀ ହକଦାର ବୋଲି କହିଛନ୍ତି।

ଏ ନେଇ କାର୍ତ୍ତିକ ଏକ ଫଟୋ ପୋଷ୍ଟିଂ କରିବା ସହ ଜୀବନର ଦ୍ୱିତୀୟ ଇନିଂସ ଲାଗି ଧୋନୀଙ୍କୁ ‘ଗୁଡଲକ୍’ ଜଣାଇଛନ୍ତି। ଜଣେ ଖେଳାଳି ଓ କ୍ୟାପ୍ଟେନ ଭାବେ ଧୋନୀଙ୍କ ଯୋଗଦାନ ଉଲ୍ଲେଖନୀୟ ଏଣୁ ତାଙ୍କ ସହ ତାଙ୍କ ଜର୍ସିକୁ ରିଟାୟର ଦେବା ତାଙ୍କ ଲାଗି ନିଶ୍ଚିତ ଭାବେ ସମ୍ମାନଜନକ ହେବ ବୋଲି କାର୍ତ୍ତିକ ଉଲ୍ଲେଖ କରିଛନ୍ତି। ତେବେ ଭାରତୀୟ କ୍ରିକେଟ ଏପର୍ଯ୍ୟନ୍ତ କେବଳ ଥରଟିଏ ଜର୍ସିକୁ ବିଦାୟ ଦେଇଛି ଓ ତାହାବି ସଚ୍ଚିନ ତେନ୍ଦୁଲକରଙ୍କ ଲାଗି

ସଚ୍ଚିନ ତେନ୍ଦୁଲକର କ୍ରିକେଟକୁ ଅଲବିଦା କହିବା ପରେ ତାଙ୍କର ୧୦ ନମ୍ବର ଜର୍ସିକୁ ଟିମ୍ରୁ ବିଦାୟ ଦିଆଯାଇଛି। ୨୦୧୭ ମସିହାରୁ ଟିମ୍ର କେହି ଖେଳାଳି ୧୦ ନମ୍ବର ଜର୍ସି ପିନ୍ଧି ଷ୍ଟାଡିୟମକୁ ଓହ୍ଲାଇନାହାନ୍ତି। ଜର୍ସି ରିଟାୟରମେଣ୍ଟକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ଙ୍କର କୌଣସି ଆପତ୍ତି ନାହିଁ। ଏହି ନିଷ୍ପତ୍ତି ସମ୍ପୃକ୍ତ ଦେଶର ବୋର୍ଡ ଉପରେ ନିର୍ଭର କରେ। ଏଣୁ ହୁଏତ ବିସିସିଆଇ ଧୋନୀଙ୍କ ୭ ନମ୍ବର ଜର୍ସିକୁ ମଧ୍ୟ ବିଦାୟ ଦେଇ ପାରନ୍ତି ବୋଲି ଆଶା କରାଯାଉଛି।