ଫୁଟବଲ ଟିମ୍ କିଣିବା ପାଇଁ ୱାଶିଂଟନ ପୋଷ୍ଟକୁ ବିକ୍ରି କରିବେ ଜେଫ ବେଜୋସ !

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ଆମଜାନର ପ୍ରତିଷ୍ଠାତା ଜେଫ ବେଜୋସ ଫୁଟବଲ ଟିମ୍ ୱାଶିଂଟନ କମାଣ୍ଡର୍ସକୁ କିଣିବା ପାଇଁ ନିଜର ଖବରକାଗଜ ୱାଶିଂଟନ ପୋଷ୍ଟକୁ ବିକ୍ରି କରିପାରନ୍ତି । ନ୍ୟୁୟର୍କ ପୋଷ୍ଟର ଖବର ଅନୁସାରେ ୱାଶିଂଟନ ପୋଷ୍ଟର ବିକ୍ରି ସ୍ପଷ୍ଟ ହୋଇସାରିଛି । ଅନ୍ୟପଟେ କିଛି ମିଡିଆ ରିପୋର୍ଟ ଅନୁସାରେ ବେଜୋସଙ୍କ ଜଣେ ମୁଖପାତ୍ର ୱାଶିଂଟନ ପୋଷ୍ଟର ବିକ୍ରି ଖବରକୁ ଖଣ୍ଡନ କରିଛନ୍ତି ।

ନ୍ୟୁୟର୍କ ପୋଷ୍ଟର ଖବର ଅନୁସାରେ ବେଜୋସ ଫୁଟବଲ ଟିମ୍ ୱାଶିଂଟନ କମାଣ୍ଡର୍ସକୁ କିଣିବା ପାଇଁ ରାସ୍ତା ବାହାର କରୁଛନ୍ତି । କମାଣ୍ଡର୍ସ ୧୯୮୩, ୧୯୮୮ ଏବଂ ୧୯୯୨ରେ ଲୋମ୍ୱାର୍ଡି ଟ୍ରଫି ଜିତି ତିନିଥର ସୁପର ବାଉଲ୍ସ ଜିତି ସାରିଛି । ତେବେ ଏହି ଡିଲ ବେଜୋସଙ୍କ ପାଇଁ ସହଜ ନୁହେଁ । ଉଲ୍ଲେଖଯୋଗ୍ୟ ଯେ କମାଣ୍ଡର୍ସର ମାଲିକ ଡେନ ସ୍ନାଇଡର ୱାଶିଂଟନ ପୋଷ୍ଟରେ ପ୍ରକାଶିତ ସିରିଜ ଖବରକୁ ନେଇ ଖୁସି ନାହାନ୍ତି । ଯୌନ ନିର୍ଯାତନା ସହ ଜଡିତ ମାମଲାରେ ସ୍ନାଇଡରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା ।

ୱାଶିଂଟନ ପୋଷ୍ଟକୁ ୨୦୧୩ ମସିହାରେ ୨୫୦ ମିଲିୟନ ଡଲାରରେ ଜେଫ ବେଜୋସ କିଣିଥିଲେ । ଏହାରି ଭିତରେ ବାଣିଜ୍ୟ ଏବଂ ଖେଳ ଉପରେ ନଜର ରଖୁଥିବା ସ୍ପୋର୍ଟ୍ସ କହିଛି ଯେ ସ୍ନାଇଡର ବେଜୋସକୁ ନିଜ ଟିମ୍ ବିକ୍ରି କରିବାକୁ ଚାହୁଁନାହାନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବେଜୋସ ପୂର୍ବରୁ ମଧ୍ୟ ସାର୍ବଜନୀନ ସ୍ଥାନରେ ପ୍ରତିକ୍ରିୟା ରଖି ଗୋଟିଏ ଖବର କାଗଜର ମାଲିକ ହେବା ତାଙ୍କର କେବେ ଲକ୍ଷ୍ୟ ନଥିଲା ବୋଲି କହିଥିଲେ । ଅନ୍ୟପଟେ ଫୁଟବଲ ତାଙ୍କ ମନ ପସନ୍ଦର ଖେଳ ବୋଲି ବେଜୋସ ଅନେକ ଥର କହି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.