ଦ୍ୱିତୀୟ ସ୍ୱାମୀଙ୍କୁ ବି ଛାଡପତ୍ର ଦେଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଗୋଟିଏ ବର୍ଷ ପୂର୍ବେ କରିଥିଲେ ବିବାହ
12/01/2023 at 6:57 PM

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଆମାଜନ ମାଲିକ ଜେଫ୍ ବେଜୋସଙ୍କ ପୂର୍ବତନ ପତ୍ନୀ ମେକେଞ୍ଜି ସ୍କଟ ଏବେ ନିଜ ଦ୍ୱିତୀୟ ସ୍ୱାମୀଙ୍କୁ ମଧ୍ୟ ଛାଡପତ୍ର ଦେଇଛନ୍ତି । ଜେଫ ବେଜୋସ ଏବଂ ମେକେଞ୍ଜି ୨୦୧୯ ମସିହାରେ ପରସ୍ପରଠାରୁ ଅଲଗା ହୋଇଥିଲେ । ଦୁହେଁ ବିବାହର ୨୦୨୫ ବର୍ଷ ପରେ ଅଲଗା ହେବା ନେଇ ଘୋଷଣା କରିଥିଲେ, ଯାହା ସଭିଙ୍କୁ ଚକିତ କରାଇଥିଲା । ବେଜୋସଙ୍କୁ ଛାଡପତ୍ର ଦେବା ପରେ ମେକେଞ୍ଜି ଜଣେ ସ୍କୁଲ ଶିକ୍ଷକ ଡ୍ୟାନ ଜେବେଟଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ତେବେ ଡ୍ୟାନଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ।
ମିଡିଆ ରିପୋର୍ଟ ଅନୁସାରେ ୱାଶିଂଟନରେ ଜାନୁଆରୀ ୪ରେ କୋର୍ଟରେ ୫୨ ବର୍ଷୀୟ ମେକେଞ୍ଜି ଏବଂ ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ଦୁହିଁଙ୍କ ଭିତରେ ସମ୍ପତ୍ତି ଏବଂ ରୁଣ ମଧ୍ୟ ଭାଗ କରାଯାଇଛି । ଜେଫ ବେଜୋସଙ୍କ ଠାରୁ ଅଲଗା ହେବା ସମୟରେ ମେକେଞ୍ଜିଙ୍କୁ ଆମାଜନର ସେୟାର ଧାରକ ଭାବେ ବଡ଼ ପୁଞ୍ଜି ମିଳିଥିଲା ।
ଲେଖିକା ତଥା ଆମେରିକାରେ ତୃତୀୟ ଧନୀ ମହିଳା ମେକେଞ୍ଜି ଏବଂ ଜେଫ ବେଜୋସଙ୍କ ଚାରି ସନ୍ତାନ ଅଛନ୍ତି । ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ ଜେଫ ବେଜୋସଙ୍କ ସହ ଛାଡପତ୍ର ପରେ ଆମାଜନର ୩୮.୩ ବିଲିୟନ ଡଲାର ଷ୍ଟକ୍ ମେକେଞ୍ଜିଙ୍କୁ ମିଳିଥିଲା । ତେବେ ଏହି ସମ୍ପତ୍ତିରୁ ଅଧା ସେ ଦାନ ଦେବା ନେଇ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୪ ବିଲିୟନ ଡଲାରରୁ ଅଧିକ ଦାନ କରିସାରିଛନ୍ତି ।