ଜେଇଇ ଆଡଭାନ୍ସ ଟପ୍ପରଙ୍କ ଆଦର୍ଶ ସୁନ୍ଦର ପିଚାଇ, ରେକର୍ଡ କରିଥିବା ମୃଦୁଲ କହିଲେ ତାଙ୍କ ସଫଳତାର ରହସ୍ୟ

Published By : Prameya-News7 Bureau | October 15, 2021 IST

ନୂଆଦିଲ୍ଲୀ ୧୫।୧୦: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଆଇଆଇଟି) ଖଡଗପୁରରୁ ନିଜର ଯାତ୍ରା ଆରମ୍ଭ କରିଥିବା ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ପ୍ରେରଣାରେ ଅନୁପ୍ରାଣିତ ଜେଇଇ ମେନ ଟପ୍ପର ମୃଦୁଲ ଅଗ୍ରଓ୍ଵାଲ। ଅନ୍ୟମାନଙ୍କ ପରି ସୁନ୍ଦର ପିଚାଇ ମଧ୍ୟ ମୋର ଆଦର୍ଶ। ପିଚାଇ ଖଡଗପୁର ଆଇଆଇଟିରୁ ଉଚ୍ଚଶିକ୍ଷା ଲାଭ କରି ଟେକ୍ ଜିଆଣ୍ଟ ଗୁଗଲର ବର୍ତ୍ତମାନ ସିଇଓ। ମୁଁ ମଧ୍ୟ ସେହି ଭଳି ଶୀର୍ଷ ଟେକ୍ କମ୍ପାନୀ ସହ କାମ କରିବା ସହିତ ନିଜର ଗୋଟିଏ ଷ୍ଟାର୍ଟଅପ୍ ଖୋଲିବାକୁ ଚାହୁଁଛି ବୋଲି କହିଛନ୍ତି ମୃଦୁଲ। ୧୭ ବର୍ଷୀୟ ଏହି ଛାତ୍ର ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଜୟପୁରର ମୃଦୁଲ ଫେବୃଆରୀ ଜେଇଇ-ମେନ୍‌ରେ ମଧ୍ୟ ୧୦୦ ପ୍ରତିଶତ ନମ୍ବର ରଖିଥିଲେ। ମାର୍ଚ୍ଚ ଜେଇଇ-ମେନରେ  ବି ୩୦୦ରୁ ୩୦୦ ନମ୍ବର ପାଇଥିଲେ। ଏବେ ଜେଇଇ ଆଡଭାନ୍ସରେ ୩୬୦ ରୁ ୩୪୮ ନମ୍ବର ରଖି ଟପ୍ପର ହୋଇଛନ୍ତି ମୃଦୁଲ। ସେ ଗତ ତିନି ବର୍ଷରୁ ଏଲନରୁ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ମୋଟ୍ ୧୩ ଜଣ ଏମିତି ପିଲା ଅଛନ୍ତି, ଯେଉଁମାନେ ମାର୍ଚ୍ଚ ୨୪ରେ ପ୍ରକାଶିତ ରେଜଲ୍ଟରେ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି।

ନିଜର ପ୍ରସ୍ତୁତି ବିଷୟରେ ମୃଦୁଲ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ତାଙ୍କୁ ପ୍ରସ୍ତୁତି ପାଇଁ ଅଧିକ ସମୟ ମିଳିଥିଲା। କୋଚିଂ ଯିବାର ଆବଶ୍ୟକତା ପଡିନଥିଲା। ଆଲେନ ଇନଷ୍ଟିଚ୍ୟୁଟ୍ ଦ୍ଵାରା ସେ ଅନଲାଇନ୍ କ୍ଲାସ୍ କରିଥିଲେ। ତେଣୁ ପଢିବା ପାଇଁ ତାଙ୍କୁ ଅତିରିକ୍ତ ସମୟ ମିଳିଥିଲା। ସେ କେବେ ମଧ୍ୟ କ୍ଲାସ୍ କିମ୍ବା କୋଚିଂ ସେଣ୍ଟରକୁ କ୍ଲାସ୍ କରିବାକୁ ଯାଇ ନାହାନ୍ତି ବୋଲି ମୃଦୁଲ କହିଛନ୍ତି। ସେ ଚଳିତ ବର୍ଷ ସିବିଏସଇ ଦ୍ଵାଦଶରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଆଲେନ ଇନଷ୍ଟିଚ୍ୟୁଟ୍‌ର ବହି ବ୍ୟବହାର ବ୍ୟତୀତ ସେ ଏନସିଇଆରଟି ବହି ପଢୁଥିଲେ। ପରୀକ୍ଷା ପ୍ରସ୍ତୁତି ସମୟରେ ସେ ଏନସିଇଆରଟି ଅନୁକରଣ କରୁଥିଲେ। ସେ ଆଶିଷ ଆରୋରାଙ୍କ ଦ୍ଵାରା ଲିଖିତ ଫିଜିକ୍ସ ଗାଲାକ୍ସି,  ନୀରଜ କୁମାରଙ୍କ ଦ୍ଵାରା ଲିଖିତ ଫିଜିକାଲ କେମିଷ୍ଟ୍ରି, ଏମଏସ ଚୌହ୍ଵାନ ଦ୍ଵାରା ଅର୍ଗାନିକ କେମିଷ୍ଟ୍ରି, ଭିକେ ଜୟସ୍ଵାଲଙ୍କ ଦ୍ଵାରା ଇନଅର୍ଗାନିକ କେମିଷ୍ଟ୍ରି ବହି ପଢୁଥିଲେ ବୋଲି ମୃଦୁଲ କହିଛନ୍ତି।

ଏଥିସହ ସେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଅଭ୍ୟାସ୍ ପୋର୍ଟାଲ ଜରିଆରେ ସେ ମୋକ୍ ଟେଷ୍ଟ ସହ ଗତ ବର୍ଷର ପ୍ରଶ୍ନ ପତ୍ରର ସମାଧାନ କରୁଥିଲେ। ଏବେ ସେ  ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ପଢିବାକୁ ଚାହୁଁଛନ୍ତି। ବାପା ପ୍ରଦୀପ ଅଗ୍ରଓ୍ଵାଲ ଏକ ପ୍ରାଇଭେଟ୍ ଫାର୍ମରେ ଆକାଉଣ୍ଟାଣ୍ଟ ମ୍ୟାନେଜର ଅଛନ୍ତି। ମା ପୂଜା ଅଗ୍ରଓ୍ଵାଲ ଗୃହିଣୀ। ପୂରା ବର୍ଷ ମା ଏବଂ ଶିକ୍ଷକ ପାଠପଢା ପାଇଁ ତାଙ୍କୁ ଖୁବ୍ ଅନୁପ୍ରାଣିତ କରିଛନ୍ତି। ପାଠପଢା ବ୍ୟତୀତ ସଙ୍ଗୀତ ତାଙ୍କୁ ବହୁତ ପସନ୍ଦ ବୋଲି ମୃଦୁଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.