କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବୁନି, କିନ୍ତୁ ବିହାରରେ ଏନଡିଏ ମଜବୁତ: ଜେଡିୟୁ

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ବିହାର ରାଜନୀତିରେ ମୁଖ୍ୟତଃ ଜେଡିୟୁରେ ଜାରି ରାଜନୈତିକ ହଲଚଲ ଉପରେ ବିହାର ସରକାରଙ୍କ ଶିକ୍ଷା ମନ୍ତ୍ରୀ ବିଜୟ ଚୌଧୁରୀ ଦଳର ସ୍ଥିତି ସ୍ପଷ୍ଟ କରିଛନ୍ତି । ଏହାସହ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଜେଡିୟୁର ସାମିଲ ହେବା ଉପରେ ନୀତୀଶ କୁମାରଙ୍କ କଣ ଇଚ୍ଛା ରହିଛି ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂ ଇସ୍ତଫା ପରେ ଦଳ ତରଫରୁ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ଶିକ୍ଷା ମନ୍ତ୍ରୀ ବିଜୟ ଚୌଧୁରୀ । ସେ କହିଛନ୍ତି, ଜେଡିୟୁରେ ଏବେ ଆରସିପି ସିଂଙ୍କ ଅଧ୍ୟାୟ ଶେଷ ହୋଇଛି । ଆରସିପି ଘଟଣାକ୍ରମକୁ ଏବେ ସମାପ୍ତ କରିବା ଦରକାର ବୋଲି ସେ କହିଛନ୍ତି।

ଆରସିପି ସିଂଙ୍କ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ହଟିବା ପରେ ଏବେ ଏନଡିଏ ସରକାରରେ ଜେଡିୟୁର କେହି ନେତା ନାହାନ୍ତି । ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବା ଉପରେ ବିଜୟ ଚୌଧୁରୀ କହିଛନ୍ତି, 'ଦଳ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ' । ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଷ୍ପତ୍ତି ନେଇ ସାରିଛନ୍ତି ।  ନୀତୀଶ କୁମାରଙ୍କ ନିଷ୍ପତ୍ତି ଦଳର ଚୂଡାନ୍ତ ନିଷ୍ପତ୍ତି।

ତେବେ ୨୦୨୪ ଏବଂ ୨୦୨୫ ନିର୍ବାଚନ ବିଜେପି ଏବଂ ଜେଡିୟୁ ମିଳିତ ଭାବେ ଲଢିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଜେପି ସହ ସମ୍ପର୍କ କିଛି ଖରାପ ନାହିଁ ଆମେ ମିଳିମିଶି ଚାଲିଛୁ ବୋଲି ସେ କହିଛନ୍ତି । ବିଜେପି ପୂର୍ବରୁ ଘୋଷଣା କରିସାରିଛି ଏବଂ ଜେଡିୟୁ ବର୍ତ୍ତମାନ ସୁଦ୍ଧା ଅନ୍ୟ କିଛି ନିଷ୍ପତ୍ତି ନେଇ ନାହିଁ ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.