ଜେଡିୟୁ ମୁଖପାତ୍ର ପଦରୁ ହଟିଲେ କେ.ସି ତ୍ୟାଗୀ; ବରିଷ୍ଠ ନେତାଙ୍କ ଇସ୍ତଫା ପଛରେ ଅନେକ କାରଣ

Published By : Prameya-News7 Bureau | September 01, 2024 IST

ପାଟଣା:  ଜାତୀୟ ମୁଖପାତ୍ର ପଦ ଛାଡ଼ିଲେ ଜନତା ଦଳ ୟୁନାଇଟେଡ୍ ବରିଷ୍ଠ ନେତା କେ.ସି ତ୍ୟାଗି । ନିଜସ୍ବ କାରଣ ଦର୍ଶାଇ ସେ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । କେ.ସି ତ୍ୟାଗି ପଦ ଛାଡ଼ିବା ପରେ ଏହି ଦାୟିତ୍ବ ରାଜୀବ ରଞ୍ଜନଙ୍କୁ ଦିଆଯାଇଛି । ଜେଡିୟୁର ନୂଆ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ସେ ନିଯୁକ୍ତ ହୋଇଛନ୍ତି । ଏନେଇ ପାର୍ଟି ମହାସଚିବ ଆଫାକ୍ ଅହମ୍ମଦ ଖାନ୍ ଏକ ଚିଠି ଜାରି କରି ସୂଚନା ଦେଇଛନ୍ତି । କୁହାଯାଇଛି, କେ.ସି ତ୍ୟାଗୀଙ୍କ ଇସ୍ତଫା ପଛରେ ଅନେକ କାରଣ ଲୁଚି କରି ରହିଛି । ଏହା ଭିତରେ ଦଳୀୟ କନ୍ଦଳ ଏକ ମୁଖ୍ୟ କାରଣ  । ପାର୍ଟିରେ ନେତାଙ୍କ ମଧ୍ୟରେ ମତଭେଦ ଅନ୍ୟ ଏକ କାରଣ ବୋଲି କୁହାଯାଉଛି । 

କେ.ସି ତ୍ୟାଗୀ ଜେଡିୟୁର ଜଣେ ପ୍ରମୁଖ ଚେହେରା । ଗତ କିଛି ଦିନ ହେଲା ବିବାଦୀୟ ବୟାନ ଦେଇ ଚର୍ଚ୍ଚା ରହିଥିଲେ । ଯାହା ଦଳୀୟ ବୟାନ ଠାରୁ ଭିନ୍ନ ଥିଲା । ଅଧିକାଂଶ ସମୟରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ପରାମର୍ଶ ବିନା ବିବାଦୀୟ ବୟାନ ଦେଇଆସୁଥିଲା । ଏହାକୁ ନେଇ ପାର୍ଟି ଭିତରେ ଅସନ୍ତୋଷ ବଢ଼ୁଥିଲା । ଧୀରେ ଧୀରେ ଏହା ଗମ୍ଭୀର ହେବା ପରେ କେ.ସି ତ୍ୟାଗୀ ଜେଡିୟୁ ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଥିବା ସୂତ୍ରରୁ ପ୍ରକାଶ ପାଇଛି ।  

କେ.ସି ତ୍ୟାଗୀଙ୍କ ବିବାଦୀୟ ବୟାନ ପାଇଁ କେବଳ ଜେଡିୟୁ ନୁହେଁ, ଏନଡିଏ ଭିତରେ ମଧ୍ୟ ମତାନ୍ତର ଖବର ସାମ୍ନାକୁ ଆସିଛି । ବିଶେଷ କରି ବିଦେଶ ନୀତି ମୁଦ୍ଦାରେ ସେ ଇଣ୍ଡିଆ ବ୍ଲାକ୍ ନେତାଙ୍କ ସ୍ବରରେ ସ୍ବର ମିଳାଇଥିଲେ । ଆଉ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ ଉପରେ ରୋକ୍ ଲଗାଇବା ପାଇଁ ହସ୍ତାକ୍ଷର କରିଥିଲେ । ଏହାକୁ ନେଇ ପାର୍ଟି ଭିତରେ ଏବଂ ବାହାରେ ବିବାଦ ଦେଖା ଦେଇଥିଲା । 

ଏହାଛଡ଼ା କେ.ସି ତ୍ୟାଗୀ ଏସସି/ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଦଳୀୟ ନେତୃତ୍ବଙ୍କ ସହ କୌଣସି ଚର୍ଚ୍ଚା ନକରି ବୟାନ ଜାରି କରିଥିଲେ । ସେହିପରି ୟୁପିଏସସିରେ ଲାଟେରାଲ୍ ଏଣ୍ଟ୍ରିକୁ ନେଇ ନିଜସ୍ବ ବୟାନକୁ ଦଳୀୟ ଭାବେ ଜାରି କରିଥିଲେ । 


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.