ଟ୍ରେନ ଧକ୍କାରେ ଜେସିବି ଚୁରମାର୍
9/05/2018 at 9:54 AM

ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଯାତ୍ରୀବାହୀ ଟ୍ରେନ୍ । ଟ୍ରେନ ଧକ୍କାରେ ଜେସିବି ଚୁରମାର୍ । ଟ୍ରେନ୍ ଇଞ୍ଜିନର ପାଣ୍ଟୋଗ୍ରାଫ୍ ବି ଭାଙ୍ଗିଯାଇଛି । ଯାଜପୁର ହରିଦାସପୁର ନୂଆଗଡ ମଧୁପୁର ଷ୍ଟେସନ ମଧ୍ୟରେ ଥିବା ମ୍ୟାନ ଲେବୁଲ କ୍ରସିଂ ରେ ଏହି ଦୁର୍ଘଟଣା ଘଟିଛି । ଏର୍ଣ୍ଣାକୁଲମରୁ ହାୱଡା ଯାଉଥିବା ଅନ୍ତୋଦୟ ଏକ୍ସପ୍ରେସ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜେସିବିଟି ଚୁରମାର ହୋଇଯାଇଛି । ତେବେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନି । ଜେସିବି ଟି ରେଲ ଲାଇନ ପାର ହେଉଥିବାବେଳେ ଟ୍ରାକ ମଝିରେ ବନ୍ଦ ହୋଇଯାଇଥିଲା । ଟ୍ରେନ ଆସୁଥିବାର ଦେଖି ଡ୍ରାଇଭର ଜେସିବି ଛାଡି ପଳାଇଯାଇଥିଲା । ଘଟଣାରେ ଖୋର୍ଦ୍ଧ ରୋଡ ରେଲୱେ ଡିଭିଜନ ପକ୍ଷରୁ ଗେଟମ୍ୟାନ ଯଶୋବନ୍ତ ସ୍ବାଇଁ ନିଲମ୍ବିତ ହୋଇଛନ୍ତି । ଗେଟ୍ ମ୍ୟାନ୍ ର ଭୁଲ୍ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଟ୍ରେନ ଆସିବାର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଗେଟ୍ ପକାଇବାର ନିୟମ ଥିଲେ ମଧ୍ୟ ଗେଟ୍ ମ୍ୟାନ୍ ଗେଟ୍ ପକାଇ ନ ଥିଲେ । ଫଳରେ ଲେବଲ୍ କ୍ରସିଂରେ ଗାଡ଼ି ଯାତାୟତ କରୁଥିଲା । ଟ୍ରେନ୍ କିଛି ଦୂରରେ ଥିବା ବେଳେ ଗେଟ୍ ମ୍ୟାନ୍ ଗେଟ୍ ପକାଇଥିଲେ । ତେବେ ୟା ଭିତରେ ଟ୍ରାକ୍ ଉପରେ ଫସିଯାଇଥିଲା ଜେସିବି । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣା ପରେ ଡାଉନ୍ ଲାଇନରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଅପ୍ ଓ ମିଡିଲ୍ ଲାଇନ୍ ରେ ଟ୍ରେନ୍ ଯାତାୟତ କରୁଛି ।