ସମୟ ବଡ଼ ବଳବାନ..ଇନ୍‌ଷ୍ଟାରେ ପୋଷ୍ଟ କଲେ ଶେଷ ଭିଡିଓ, ସକାଳୁ ଗାଁ ପୋଖରୀରୁ ମିଳିଲା ଜୟନ୍ତୀଙ୍କ ମୃତଦେହ

Published By : Prameya-News7 Bureau | July 17, 2022 IST

ସୋର ୧୭।୦୭ : ମୁଁ ହୁଏତ କାଲି ନଥିବି । ସମୟ ବଡ଼ ବଳବାନ, ଜୀବନର ସବୁଠୁ ବଡ଼ ଗୁରୁ ହେଉଛି ସମୟ। କାହିଁକି ନା ସମୟ ଯାହା ଆମକୁ ଶିଖାଇଥାଏ ତା କୌଣସି ବହି ଶିଖାଇନଥାଏ….। ଶନିବାର ରାତିରେ ଇନ୍‌ଷ୍ଟାରେ ଏମିତି କିଛି ଭିଡିଓ କରିବା ପରେ ରବିବାର ସକାଳୁ ଗାଁ ପୋଖରୀରୁ ମିଳିଛି ମୃତଦେହ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କଇଁଥଗଡିଆ ଗାଁରେ ଏଭଳି ଏକ ଘଟଣା ଘଟିଯାଇଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଖବର ଅନୁଯାୟୀ, କଇଁଥଗଡିଆ ଗାଁରେ ବୁଦ୍ଧଦେବ ପାତ୍ରଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ର ଶନିବାର ରାତିରେ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଶେଷରେ ଗାଁ ପୋଖରୀରେ ଜୟନ୍ତୀଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାଦେଖି ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ଜୟନ୍ତୀଙ୍କର ମୃତ୍ୟୁ ହୋଇସାରିଥିଲା । ଏବେ ଯାଏଁ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତାଙ୍କ ନାକରୁ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଛି ।

ସେପଟେ ଜୟନ୍ତୀଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହାପୂର୍ବରୁ ଜୟନ୍ତୀ ସ୍ୱାମୀ ବୁଦ୍ଧଦେବ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ସ୍ୱାମୀ ବୁଦ୍ଧଦେହ କହିଛନ୍ତି ଯେ, ରାତିରେ ସବୁ ଠିକ୍‌ଠାକ୍‌ ଥିବା ବେଳେ ହଠାତ୍‌ ପୋଖରୀରୁ ମୃତଦେହ ମିଳିବା ଆଶ୍ଚର୍ଯ୍ୟର କଥା ।

ସବୁଠୁ ବଡ଼ କଥା ହେଲା କି, ଜୟନ୍ତୀ ଶନିବାର ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରିଲ୍ସ ଜରିଆରେ କହିଛନ୍ତି ଯେ, ସମୟ ବଡ଼ ବଳବାନ, ଜୀବନର ସବୁଠୁ ବଡ଼ ଗୁରୁ ହେଉଛି ସମୟ। କାହିଁକି ନା ସମୟ ଯାହା ଆମକୁ ଶିଖାଇଥାଏ ତା କୌଣସି ବହି ଶିଖାଇନଥାଏ….। ତେବେ ଜୟନ୍ତୀଙ୍କ ଏପରି ଭିଡିଓର ମାନେ କଣ ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.