ପାପାରାଜିଙ୍କ ଉପରେ ଭଡକିଲେ ଜୟା, କହିଲେ ‘ବହୁତ ହୋଇଗଲା, ଏବେ ପଛକୁ ଯାଅ’…
23/04/2023 at 1:18 PM

ମୁମ୍ବାଇ ୨୩।୦୪ : ବଲିଉଡ ଡିଭା ତଥା ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ । ସବୁବେଳେ ନିଜ ବୟାନକୁ ନେଇ ରହିଥାନ୍ତି ଚର୍ଚ୍ଚାରେ । ପାପାରାଜିଙ୍କ ସହ ତ ତାଙ୍କର କେବେ ବି ପଡେନି । ଅନେକ ସମୟରେ ପାପାରାଜିଙ୍କ ଉପରେ ନିଜ ରାଗ ସୁଝେଇ ସାରିଛନ୍ତି । ଆଉ ଏହି ଅଭ୍ୟାସ ଯୋଗୁଁ ଅନେକ ସମୟରେ ସୋସିଆଲ୍ ମିଡିଆରେ ଟ୍ରୋଲର ଶିକାର ହୋଇଥାନ୍ତି ଜୟା ବଚ୍ଚନ । ଏବେ ଆଉଥରେ ଜୟ ପାପାରାଜୀଙ୍କ ଉପରେ ଚିଲ୍ଲେଇଥିବା ନଜର ଆସିଛନ୍ତି । ଅଭିନେତ୍ରୀ ପାପାରାଜୀଙ୍କୁ ଦୁରେଇ ରହିବାକୁ କହିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଥିଲା ପୂରା ମାମଲା ।

ନିକଟରେ ଜୟା ବଚ୍ଚନ ଝିଅ ଶ୍ବେତା ବଚ୍ଚନଙ୍କ ସହ ଦିବଙ୍ଗତ୍ ପାମେଲା ଚୋପ୍ରାଙ୍କ ଶୋକସଭାରେ ନଜର ଆସିଥିଲେ । ଜୟା ଓ ଶ୍ବେତାଙ୍କୁ ଦେଖିବା ପରେ ପାପାରାଜି ତାଙ୍କୁ ଘେରି ଯାଇଥିଲେ । ଏହାପରେ ଜୟା ପାପାରାଜୀଙ୍କର ଲଗାଇଥିଲେ କ୍ଲାସ୍ । ପାପାରାଜୀଙ୍କୁ ସାମ୍ନାରୁ ଆସୁଥିବା ଦେଖି ଜୟା କହିଥିଲେ ଯେ- ମୁଁ ଦୂରତା ଚାହୁଁଛି । ଏହା ଶୁଣିବା ପରେ ଅଭିନେତ୍ରୀଙ୍କ ଅଙ୍ଗରକ୍ଷୀ ପାପାରାଜୀଙ୍କୁ ହଟେଇ ଦେଇଥିଲେ ।
ତେବେ କଥା ଏଠି ଶେଷ ହୋଇନଥିଲା । ଚୋପ୍ରା ହାଉସ ଭିତରକୁ ଯିବା ପରେ ମଧ୍ୟ ଶାନ୍ତ ହୋଇନଥିଲେ ଜୟା । ସେ କହିଥିଲେ କି ବହୁତ ହୋଇଗଲା, ଏବେ ପଛକୁ ଯାଅ, ବହୁତ ହୋଇଗଲା । ଜୟାଙ୍କ ରାଗ ଦେଖି ପାପାରାଜି ମଧ୍ୟ ପଛକୁ ଫେରିଗଲେ । କିନ୍ତୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଉ ଅଭିନେତ୍ରୀଙ୍କ ଏପରି ବ୍ୟବହାରକୁ ସମସ୍ତେ ସମାଲୋଚନା କରୁଛନ୍ତି ।

ଜଣେ ୟୁଜର୍ସ କହିଛନ୍ତି କି- ଏପରି ମହିଳାଙ୍କୁ କ୍ୟାମେରାରେ ନେବାର ଆବଶ୍ୟକ ନାହିଁ । କିଛି ୟୁଜର୍ସ ଅଭିନେତ୍ରୀଙ୍କୁ ବୁଢି ମଧ୍ୟ କହିଛନ୍ତି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଆଣ୍ଟି ନିଜକୁ ନିଜେ କଣ ବୋଲି ଭାବୁଛନ୍ତି, ସବୁବେଳେ ପାପାରାଜି ସହ ଝଗଡା କରୁଛନ୍ତି । ଅନ୍ୟଜଣେ ୟୁଜର୍ସ ଜୟାଙ୍କ ପର୍ସନାଲ୍ ଲାଇଫକୁ ନେଇ କମେଣ୍ଟ କରିଛନ୍ତି । ୟୁଜର୍ସ ଲେଖିଛନ୍ତି, ବାହାରେ ଏମିତି, ଘରେ ବିଚାରି ବୋହୂ ସହ କେମିତି ରହୁଥିବେ, ହଇରାଣ କରିଦେଉଥିବେ । ତେବେ ପାପାରାଜିଙ୍କ ଉପରେ ରାଗିବା ଜୟାଙ୍କ ପାଇଁ କିଛି ନୂଆ କଥା ନୁହେଁ । ଏହି ଘଟଣା ଆଗରୁ ଅନେକଥର ଘଟିସାରିଛି ।