ନୂଆଦିଲ୍ଲୀ ୦୯।୦୭: ବିସିସିଆଇ ସମ୍ପାଦକ ତଥା ଏସିଆନ କ୍ରିକେଟ୍ କାଉନସିଲ୍ର ମୁଖ୍ୟ ଜୟ ଶାହ । ଖୁବ୍ଶୀଘ୍ର ବିସିସିଆଇ ସଚିବ ପଦରୁ ଦେବେ ଇସ୍ତଫା । ଶାହା ବର୍ତ୍ତମାନ ଆଇସିସିରେ ମାରିବେ ଏଣ୍ଟ୍ରି । ଅର୍ଥାତ୍ ଚେୟାରମ୍ୟାନ୍ ଭାବେ ଲଢିବେ ନିର୍ବାଚନ । ଯଦି ସେ ନିର୍ବାଚନ ଲଢ଼ନ୍ତି, ତା’ହେଲେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେବା ସମ୍ଭାବନା ରହିଛି ।
ଜୟ ଶାହା ୨୦୧୯ରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡର ରହିଛନ୍ତି ସଚିବ । ବର୍ତ୍ତମାନ ତାଙ୍କ ହାତରେ ବହୁତ ପାଓ୍ବାର୍ । କିନ୍ତୁ ଜୟ ଶାହା ଏ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇ ନାହାଁନ୍ତି । ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସିର ଚେୟାରମ୍ୟାନ୍ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାରକ୍ଲାଏ । ସେ ଏହି ପଦରେ ଗତ ୪ ବର୍ଷ ହେଲା ରହିଛନ୍ତି । ବିସିସିଆଇ ସଚିବଙ୍କ ସମର୍ଥନରେ ଏହି ପଦ ସେ ଗ୍ରହଣ କରିଥିଲେ।
ଖବର ଅନୁଯାୟୀ ଚଳିତ ମାସ କଲମ୍ବୋ ଠାରେ ବସିବ ଆଇସିସିର ବାର୍ଷିକ ସାଧାରଣ ବୈଠକ । ବୈଠକରେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ କରାଯିବ ନିର୍ବାଚନ ତାରିଖ । ମିଳିଥିବା ସୂଚନା ଅନୁଯାୟୀ, ଚେୟାରମ୍ୟାନ୍ ପଦ ପାଇଁ ନିର୍ବାଚନ ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବ । ତେବେ ଏହି ଚର୍ଚ୍ଚାରେ ନିରବ ରହିଛନ୍ତି ଜୟ ଶାହା ।
କିନ୍ତୁ କୁହାଯାଉଛି କି ଶାହା ଆଇସିସିର କାମ କରିବାର କିଛି ପ୍ରଣାଳୀରେ ଖୁସି ନାହାନ୍ତି । ସେ ଆଇସିସି କାର୍ଯ୍ୟ ପ୍ରଣାଳୀରେ କିଛିଟା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ରିପୋର୍ଟ ଅନୁଯାୟୀ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଟି-୨୦ ବିଶ୍ୱକପ ୨୦୨୪କୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଆୟୋଜନ କରିବାକୁ ନେଇ ଖୁସି ନଥିଲେ ଶାହା । ଯଦି ଶାହା ଏହି ନିର୍ବାଚନରେ ଜିତନ୍ତି ତେବେ ସେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହେବେ।
ରିପୋର୍ଟ ଅନୁଯାୟୀ, ନିକଟ ଅତୀତରେ ଆଇସିସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳରେ ପରିବର୍ତ୍ତନ ଆସିଛି । ପୂର୍ବରୁ, ଜଣେ ବ୍ୟକ୍ତି ୩ ଥର ଚେୟାରମ୍ୟାନ୍ ହୋଇପାରିବେ । ପ୍ରତ୍ୟେକ କାର୍ଯ୍ୟକାଳ ୨ ବର୍ଷ ପାଇଁ ରହିଥିଲା । କିନ୍ତୁ ନୂଆ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ୨ଥର ଚେୟାରମ୍ୟାନ୍ ହୋଇପାରିବେ ଏବଂ ଏମାନଙ୍କ ପ୍ରତ୍ୟେକ କାର୍ଯ୍ୟକାଳ ୩ ବର୍ଷ ହେବ ।
ଯଦି ଜୟ ଶାହା ଚେୟାରମ୍ୟାନ୍ ହୁଅନ୍ତି, ତେବେ ସେ ଏହି ପଦବୀରେ ୩ ବର୍ଷ ରହିବେ । ତେବେ ଏହାପରେ ଶାହା ୨୦୨୮ରେ ହିଁ ବିସିସିଆଇର ପୁନର୍ବାର ହୋଇପାରିବେ ସଭାପତି । ଜୟ ଶାହା ୨୦୦୯ ମସିହାରୁ ଭାରତୀୟ କ୍ରିକେଟ୍ ସହିତ ଜଡିତ । ବିସିସିଆଇ ସଚିବ ପଦ ଗ୍ରହଣ କରିବା ପୂର୍ବରୁ ସେ ଗୁଜୁରାଟ କ୍ରିକେଟ୍ ଆସୋସିଏସନର ଯୁଗ୍ମ ସଚିବ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।
୨୦୧୫ରେ ସେ ବିସିସିଆଇରେ ଯୋଗ ଦେଇଥିଲେ ଏବଂ ସେପ୍ଟେମ୍ବର ୨୦୧୯ରେ ବିସିସିଆଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଯଦି ଶାହା ଆଇସିସି ସଚିବ ପଦବୀ ପାଇଁ ନିର୍ବାଚନ ଲଢନ୍ତି ତେବେ ସେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନେଇ ବିଶ୍ବାସ ରହିଛି ।