ସ୍ୱାଧୀନତା ଦିବସ ପୂର୍ବରୁ ଆଖିବୁଜିଲେ ଯବାନ, ନୀଳଗିରିରେ ଶୋକାକୁଳ ପରିବେଶ

Published By : Prameya-News7 Bureau | August 11, 2022 IST

ନୀଳଗିରି ୧୧/୦୮: ଆଉ କେଇଦିନ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଏନେଇ ସାରା ଦେଶ ଉତ୍ସବ ମୁଖର ହୋଇଛି । ଏହି ଦୁର୍ଲଭ ମୁହୂର୍ତ୍ତକୁ ଦେଖିପାରିଲେନି କର୍ତ୍ତବ୍ୟରତ ଯବାନ । ଆଖିବୁଜି ଦେଇ ଆରପାରିକୁ ଚାଲିଗଲେ । ତାଙ୍କର ମର ଶରୀର ଗାଁକୁ ଆସିବା ପରେ ସାରା ନୀଳଗିରି ଶୋକାକୁଳ ପରିବେଶ ସୃଷ୍ଟି ।

ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମହିଷାପଟ୍ଟା ପଞ୍ଚାୟତ ଡମ୍ବରୁଘାଟି ଗ୍ରାମର ଦୈତାରି ସିଂଙ୍କ ପୁଅ ରଞ୍ଜନ ପିଲାଟି ଦିନରୁ ଦେଶ ମାତୃକାର ସେବା କରିବା ପାଇଁ ମନ ବଳାଇ ପାଠ ପଢିଚାଲିଥିଲେ । ଆଦିବାସୀ ପରିବାରରେ ଜନ୍ମ ନେଇଥିବା ବେଳେ ବାପାଙ୍କ ଦେହାନ୍ତ ପରେ ଘରର ଆର୍ଥିକ ବୋଝ ମଧ୍ୟ ତାଙ୍କ ଉପରେ ଥିଲା ।

ବୁଢ଼ୀ ମାଆ ପାଖରେ ରହିବାର ଇଛାଥିଲେ ବି ଦେଶ ମାତୃକାକୁ ସୁରକ୍ଷା ଦେବା ତାଙ୍କ ପାଇଁ ପ୍ରଥମ କର୍ତ୍ତବ୍ୟ ଥିଲା । ଚାରି ଭଉଣୀ ବିବାହ କରି ଶ୍ୱଶୁର ଘରେ ଥିବାବେଳେ ସାନ ଭାଇ ଘରେ ମାଆଙ୍କ ପାଖରେ ରହନ୍ତି । ବୁଢ଼ୀ ମାଆ ତାଙ୍କର ବିବାହ କରାଇବାକୁ ମନେ ମନେ ସ୍ଥିର କରିଥିଲେ । କେତେକଣ ଆଶା ଥିଲା ରଞ୍ଜନ ଆସାମରେ ଯବାନ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ପାଇଁ ସାଙ୍ଗସାଥି ଗ୍ରାମବାସୀ ବହୁ ଗର୍ବ ଅନୁଭବ କରିଥିଲେ ।

ହଠାତ ଗତକାଲି ଫୋନ ଆସିଥିଲା ରଞ୍ଜନ ଆଉ ଦୁନିଆରେ ନାହାନ୍ତି । ତାଙ୍କର ହୃଦଘାତ ହେବାରୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେ ସହିଦ ହୋଇ ଯାଇଛନ୍ତି । ଆଜି ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କର ମର ଶରୀର ସାଥି ଯବାନ ମାନେ ଗାଁକୁ ଆଣିଥିଲେ । ତାଙ୍କର ଅନ୍ତିମ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଯାଇଥିଲା ତାଙ୍କର ବାସଭବନ ।

ବିଜେଡିନେତା ସନ୍ତୋଷ ଖଟୁଆ,ସ୍ଥାନୀୟ ସରପଞ୍ଚ ରବିନ୍ଦ୍ର ସିଂ,ବରିଷ୍ଠ ବ୍ୟକ୍ତିତ୍ୱ ମାନେ ଶେଷ ଦର୍ଶନ କରିଥିଲେ । ହୃଦୟ ବିଦାରକ ଥିଲା ଦୃଶ୍ୟ । ବୁଢୀ ମାଆ ଭାଇ ମୁଣ୍ଡ କଚାଡି କାନ୍ଦୁଥିବା ବେଳେ ଭାରତ ମାତା କି ଜୟ ଧ୍ୱନି ଦେଇଥିଲେ ଅଞ୍ଚଳବାସୀ। ଶେଷରେ ଯବାନ ମାନେ ଗାର୍ଡ ଅଫ ଅନର ଦେବା ପରେ ଶେଷକୃତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.