୭ ବର୍ଷ ବିତିଲା, କେବେ ସରିବ ଜଟଣୀ ଫ୍ଲାଏ ଓଭରବ୍ରିଜ୍ କାମ ?
9/01/2023 at 10:37 AM

ଜଟଣୀ ୦୯।୦୧ : କେବେ ସରିବ ଜଟଣୀ ଫ୍ଲାଏ ଓଭର କାର୍ଯ୍ୟ। ସାତ ବର୍ଷ ହେଲାଣି ସରୁନି ଜଟଣୀ ଫ୍ଲାଏ ଓଭର କାମ। ଜଟଣୀ ଆନ୍ଧ୍ର ବ୍ୟାଙ୍କ ଛକ ଠାରୁ କୁଦିଆରି ବଜାର ପର୍ଯ୍ୟନ୍ତ ଫ୍ଲାଏ ଓଭର କାମ ଧିରେ ଧିରେ ଚାଲିଛି। ଲୋକେ ଯିବା ଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଠା ଦୋକାନୀଙ୍କୁ ମଧ୍ୟ ଥଇଥାନ କରିବାରେ ବିଫଳ ହୋଇଛି ପ୍ରଶାସନ।
କେବେ ସରିବ ଜଟଣୀ ଫ୍ଲାଏ ଓଭର କାମ ? ୭ ବର୍ଷ ବିତିଗଲାଣି। ହେଲେ ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମ ଧିରେ ଧିରେ ଚାଲିଛି। ଏଥିଯୋଗୁଁ ଲୋକେ ନାହିଁନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫ୍ଲାଏ ଓଭର କାମ ଅଧପନ୍ତରିଆ ଥିବାରୁ ଜଟିଳ ହୋଇଛି ଟ୍ରାଫିକ୍ ସମସ୍ୟା। ଜଟଣୀ ଆନ୍ଧ୍ର ବ୍ୟାଙ୍କ ଛକରୁ କୁଦିଆରି ବଜାର ପର୍ଯ୍ୟନ୍ତ ୨୦୧୬ ରେ ଫ୍ଲାଏ ଓଭର କାମ ଆରମ୍ଭ ହୋଇଥିଲା। ଏହାର ସାଢେ ୫୪ ମିଟର କାମ ରେଲୱେ କରୁଛି। ରାଜ୍ୟ ସରକାର ୧୨୫୦ ମିଟର କାମ କରୁଛନ୍ତି।
ରାଜ୍ଯ ସରକାରଙ୍କ ବ୍ରିଜ କାମ ୯୦ ପ୍ରତିଶତ ସରିଲାଣି। ହେଲେ ରେଲୱେର କାମ ଏପର୍ଯ୍ୟନ୍ତ ସରିଛି ମାତ୍ର ୨୫ ପ୍ରତିଶତି। ତାରିଖ ପରେ ତାରିଖ ଗଡ଼ି ଚାଲିଛି। ଜଟଣୀ ସୀତାରାମ ଛକ ଏବଂ ଭୂ-ତଳ ରାସ୍ତାରେ ପ୍ରତିଦିନ ଗାଡ଼ି ଚଳାଚଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସର୍ଭିସ୍ ରୋଡ ଖାଲଖମାରେ ଭର୍ତ୍ତି। ଉଠା ଦୋକାନୀଙ୍କୁ ଥଇଥାନ କରିବାରେ ମଧ୍ୟ ପ୍ରଶାସନ ବିଫଳ ହୋଇଛି।
ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମ ଶୀଘ୍ର ସାରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଅନେକ ସମୟରେ ଦାବି ହୋଇଛି। କିନ୍ତୁ ପ୍ରଶାସନର ନିଦ ଭାଙ୍ଗୁନି। ରେଳ ବିଭାଗ ପକ୍ଷରୁ ଫ୍ଲାଏ ଓଭର କାମ କୁ ତ୍ୱରାନ୍ୱିତ କରାଯାଉନାହିଁ। କେବେ ସରିବ ଏହି ଫ୍ଲାଏ ଓଭର କାମ ତାକୁ ନେଇ ଅନିଶ୍ଚିତତା ମଧ୍ୟରେ ଅଛନ୍ତି ଜଟଣୀବାସୀ। ତେବେ ଆସନ୍ତା ଏପ୍ରିଲ ଭିତରେ ଫ୍ଲାଏ ଓଭର କାମ ନସରିଲେ ଆନ୍ଦୋଳନ କରାଯିବ ବୋଲି ଜଟଣୀ ପୌରପରିଷଦ ଅଧ୍ୟକ୍ଷ କହିଛନ୍ତି।