ମୁମ୍ବାଇ ୨୭/୦୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ। ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଶରଦ ଯାଦବ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ଉପସ୍ଥିତ ରହିପାରନ୍ତି।
ଯଶୱନ୍ତ ସିହ୍ନାଙ୍କୁ ଟିଏମସି, କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି ପ୍ରମୁଖ ସମର୍ଥନ କରୁଛନ୍ତି। ତାଙ୍କୁ ବିରୋଧୀ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବାରୁ ଯଶୱନ୍ତ ସିହ୍ନା ବିରୋଧୀ ଦଳ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ତାଙ୍କ ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ସଂପର୍କରେ ଏକ ଟିପ୍ପଣୀ ରଖିଛନ୍ତି ଯାହା ଚର୍ଚ୍ଚାର ବିଷୟ ହୋଇଛି।
ସେ ଲେଖିଛନ୍ତି ଯେ, ପୁଅର ସମର୍ଥନ ନ ପାଇ ମୁଁ କୌଣସି ପ୍ରକାର ଧର୍ମସଂକଟରେ ନାହିଁ। ପୁଅ ରାଜଧର୍ମ ପାଳନ କରୁଛି। ମୁଁ ରାଷ୍ଟ୍ର ଧର୍ମ ପାଳନ କରିବି ବୋଲି ସିହ୍ନା କହିଛନ୍ତି। ଯଶୱନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ବିଜେପି ସାଂସଦ ଅଛନ୍ତି। ୮୪ ବର୍ଷୀୟ ଶ୍ରୀ ସିହ୍ନା ଆହୁରି କହିଛନ୍ତି, ଜୁଲାଇ ୧୮ରେ ହେବାକୁ ଥିବା ନିର୍ବାଚନ ବ୍ୟକ୍ତିଗତ ପ୍ରତିଯୋଗିତାଠାରୁ ଅନେକ କିଛି। ସେହିଭଳି ଏହା କେବଳ ଭାରତର ରାଷ୍ଟ୍ରପତି ନିର୍ବାଚନ ଠାରୁ ମଧ୍ୟ ଅଧିକ। ତେବେ ଯଶୱନ୍ତଙ୍କ ପତ୍ନୀ ଏନ୍ ଡିଏ ଭଲ ପ୍ରାର୍ଥୀ ଦେଇଥିବାରୁ ଯଶୱନ୍ତଙ୍କ ବିଜୟ ଆଶା କ୍ଷୀଣ ବୋଲି କହିଛନ୍ତି ।