ବରଫ ଝଡ଼ ନେଲା ୧୩ ଜୀବନ; ୮୦ରୁ ଅଧିକ ଆହତ, ଅନ୍ଧାରରେ ବୁଡ଼ିଲା ୧୦ ହଜାର ଘର
24/12/2022 at 10:34 PM

ଟୋକିଓ: ଜାପାନରେ ପ୍ରବଳ ତୁଷାରପାତ ଯୋଗୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରଜାପାନ ସମେତ ଦେଶରେ କେତେକ ସ୍ଥାନରେ ପ୍ରବଳ ବରଫପାତ ହୋଇ ରାସ୍ତାଘାଟ ଜାମ ହୋଇଯାଇଛି। ଏଥିରେ ୮୦ରୁ ଅଧିକ ଆହତ ହୋଇଥିବା ବେଳେ ବିଦ୍ୟୁତ୍ ସେବା ବନ୍ଦ ହେବାରୁ ୧୦ ହଜାର ଘର ଅନ୍ଧାରରେ ବୁଡ଼ିଯାଇଛି। ଶନିବାର ଜାପାନ ସରକାର ଏହି ସୂଚନା ଦେଇଛନ୍ତି।
ଏତିକିବେଳେ ପାଣିପାଗ ବିଭାଗ ମଧ୍ୟ ଆହୁରି ଡରାଇଲା ଭଳି ଚେତାବନୀ ଦେଇଛି। ବରଫଝଡ଼ ସହ ଉତ୍ତର ଜାପାନର ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ପାଣିପାଗ ବିଭାଗ କହିଛି। ଫଳରେ ଦୁଇ ଫିଟ୍ ଉଚ୍ଚାର ବରଫ ଜମିବ ବୋଲି ବିଭାଗ ସତର୍କବାଣୀ ଶୁଣାଇଛି।
ଶନିବାର ଅପରାହ୍ନ ସୁଧା ବରଫଝଡ଼ରେ ୩୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ୫୦ରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଅଗ୍ନି ଓ ବିପର୍ଯ୍ୟୟ ପରିଚାଳନା ସଂଘ ସୂଚନା ଦେଇଛି।
ବରଫଝଡ଼ ଯୋଗୁ ଟ୍ରେନ୍ ଓ ବିମାନ ସେବା ବଧାପ୍ରାପ୍ତ ହୋଇଛି। ସେହିପରି ପଶ୍ଚିମ ଜାପାନ ଓ କେନ୍ଦ୍ରାଞ୍ଚଳର କେତେକ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଥିଲା।