ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
30/03/2023 at 9:23 PM

ମୁମ୍ବାଇ: ମୁମ୍ବାଇ-ଅହମଦାବାଦ ହାଇସ୍ପିଡ୍ ରେଳ(ଏମ୍ଏଏଚ୍ଏସ୍ଆର୍) ପ୍ରକଳ୍ପ ବା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଋଣ ଯୋଗାଇ ଦେବ ଜାପାନ। ଏନେଇ ଭାରତ ସହ ରାଜିନାମା ସ୍ୱାକ୍ଷରିତ ହୋଇଛି। ଜାପାନ ଇଣ୍ଟରନ୍ୟାସ୍ନାଲ କୋପରେସନ ଏଜେନ୍ସି(JICA) ଭାରତକୁ ଅଫିସିଆଲ୍ ଡେଭଲପ୍ମେଣ୍ଟ ଆସିଷ୍ଟାଣ୍ଟ(ଓଡିଏ)ରେ ୩୦୦ ବିଲିୟନ ୟେନ୍(ଭାରତୀୟ ମୁଦ୍ରାରେ ପାଖାପାଖି ୧୮,୭୫୦ କୋଟି) ଋଣ ଯୋଗାଇ ଦେବ ବୋଲି ରାଜିନାମା ସ୍ୱାକ୍ଷର କରିଛି।
ଏକ ଏକକ ପ୍ରକଳ୍ପ ନିର୍ମାଣ ପାଇଁ JICA ଦ୍ୱାରା ଦିଆଯାଇଥିବା ଏହି ଋଣ JICA ଇତିହାସରେ ବିଶ୍ୱର ସର୍ବାଧିକ ବୋଲି ଜାପାନୀ ସଂସ୍ଥା କହିଛି। ଭାରତୀୟ ଅର୍ଥନୀତି ବ୍ୟାପାର ବିଭାଗ ଓ ଅର୍ଥମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ରଜତ କୁମାର ମିଶ୍ର ଓ JICA ଭାରତ ପ୍ରତିନିଧି ମୁଖ୍ୟ ସାଇତୋ ମିତ୍ସୁନୋରୀଙ୍କ ମଧ୍ୟରେ ଏହି ରାଜିନାମାରେ ସ୍ୱାକ୍ଷରିତ ହୋଇଛି। ଏମ୍ଏଏଚ୍ଏସ୍ଆର୍ ପ୍ରକଳ୍ପ ଜାପାନ-ଭାରତ ସହଯୋଗରେ ଏକ ପ୍ରତୀକ ବୋଲି ମିତସୁନୋରୀ କହିଛନ୍ତି।

୨୦୧୭ ଠାରୁ JICA ମୁମ୍ବାଇ ଅହମଦାବାଦ ବୁଲେଟ ଟ୍ରେନ୍ ପ୍ରକଳ୍ପକୁ ବିଭିନ୍ନ ଦିଗରେ ସହଯୋଗ କରି ଆସୁଛି। ପ୍ରକଳ୍ପ ପାଇଁ ଜାପାନୀ ସଂସ୍ଥା ୬୫୦ ବିଲିୟନ ୟେନ୍(୪୦,୬୨୬ କୋଟି) ଦେବ ବୋଲି ଘୋଷଣା କରିଛି। ଏତଦ୍ ବ୍ୟତୀତ ଟେକ୍ନିକାଲ ସହଯୋଗ ଯଥା ଫିଜିବିଲିଟି ଅଧ୍ୟୟନ, ମୂଳ ଓ ସବିଶେଷ ରୂପରେଖ ତିଆରି, ଜାପାନ୍ରେ ଟ୍ରେନିଂ, ଷ୍ଟେସନ ଏରିଆ ଡେଭଲପମେଣ୍ଟ ପାଇଁ ଟେକ୍ନିକାଲ କୋପରେସନ ପ୍ରୋଜେକ୍ଟ, ଏବଂ ଏହି ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ଜାପାନ ଶିକାନସେନ୍ ବିଶେଷଜ୍ଞଙ୍କୁ ନ୍ୟାସ୍ନାଲ୍ ହାଇସ୍ପିଡ୍ ରେଳ କୋପରେସନ ଏଲ୍ଟିଡି(NHSRCL) ପଠାଇବା ଆଦିରେ ସହଯୋଗ କରୁଛି।

ଏହି ପ୍ରକଳ୍ପ ପାଇଁ NHSRCL ହିନ୍ଦୁସ୍ତାନ କନଷ୍ଟ୍ରକ୍ସନ କମ୍ପାନୀ ଲିମିଟେଡ୍ ଓ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚରକୁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଅଣ୍ଡର ଗ୍ରାଉଣ୍ଡ କରିଡର ନିର୍ମାଣ ପାଇଁ ୩,୬୮୧ କୋଟି କଣ୍ଟ୍ରାକ୍ଟ ଦେଇଛି। ଏଥିପାଇଁ ୯୮.୯ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। କେବଳ ଥାନେର ୫ ପ୍ରତିଶତ ଜମି ଅଧିଗ୍ରହଣରେ ବାଧା ଉପୁଜିଥିବା ବେଳେ ମହାରାଷ୍ଟ୍ର ବାକି ସବୁ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି।