‘ବାହୁବଳୀ’ଙ୍କ ପାଇଁ ଜାପାନୀ ବି ଦିବାନା, ପ୍ରଭାସଙ୍କ ଘର ଆଗରେ ନେଲେ ସେଲ୍ଫି
9/06/2019 at 6:02 PM

ହାଇଦ୍ରାବାଦ: ବାହୁବଳୀ ଓ ବାହୁବଳୀ-୨ର ନାୟକ ପ୍ରଭାସ କେବଳ ଭାରତ ନୁହେଁ ବିଦେଶରେ ବି ଫିଲ୍ମ ପାଇଁ ବେଶ ପ୍ରଶଂସା ସାଉଁଟୁଛନ୍ତି। ନିକଟରେ ଭାରତ ପର୍ଯ୍ୟଟନରେ ଆସିଥିବା କିଛି ଜାପାନୀ ପର୍ଯ୍ୟଟକ ହେଉଛନ୍ତି ଏହାର ପ୍ରମାଣ। ପର୍ଯ୍ୟଟକମାନେ ହାଇଦ୍ରାବାଦରେ ପ୍ରଭାସଙ୍କ ଘରକୁ ଯାଇଥିବା ବେଳେ ସେଠାରେ ବାହୁବଳୀର ନୃତ୍ୟ ପରିବେଷଣ କରୁଥିବା ଦୃଶ୍ୟ ଏବେ ସୋସାଲ ମିଡିଆରେ ଭାଇରାଲ ହେଉଛି।

ଏସ୍. ରାଜାମୌଲୀ ପ୍ରଯୋଜିତ ଫିଲ୍ମ ବାହୁବଳୀର ୨ଟି ଶୃଙ୍ଖଳାରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କେବଳ ଦେଶ ନୁହେଁ ବିଦେଶରେ ବି ଫିଲ୍ମକୁବେଶ ଲୋକପ୍ରୀୟତା ମିଳିଥିଲା। ଚଳଚିତ୍ରର କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଓ ବୈଷୟିକ ଉପଯୋଗ କୌଣସି ହଲିଉଡ ମୁଭି ତୁଳନାରେ କମ୍ ନଥିଲା। ସେହିପରି ସିନେମାର ଜଣେ ଜଣେ ପାତ୍ର ମଧ୍ୟ ନିଖୁଣ ଅଭିନୟ କରିଥଲେ। ଯେଉଁଥି ପାଇଁ ଫିଲ୍ମ ଜାପାନରେ ମଧ୍ୟ ବେଶ ଆଦୃତି ଲାଭ କରିବା ସହ ଅଭିନେତା ପ୍ରଭାସଙ୍କର ଅନେକ ଫ୍ୟାନ୍ସ ସୃଷ୍ଟି ହୋଇପାରିଛନ୍ତି।

ପ୍ରଭାସଙ୍କ ଜାପାନୀ ଫ୍ୟାନଙ୍କ ସମ୍ପର୍କରେ ସେତେବେଳେ ଜଣାପଡିଲା ଯେତେବେଳେ ଜାପାନରୁ ଆସିଥିବା କିଛି ପର୍ଯ୍ୟଟକ ପ୍ରଭାସଙ୍କ ଘର ଦେଖିବାକୁ ଚାହିଁଥିଲେ। ସେମାନେ ଯେତେବେଳେ ପ୍ରଭାସଙ୍କ ଘର ସମ୍ମୁଖରେ ପହଞ୍ଚିଲେ ମୁହୁର୍ତ୍ତକୁ ସ୍ମରମୀୟ କରିବା ପାଇଁ ବାହୁବଳୀର କିଛି ଉପସ୍ଥାପନା କରିଥିଲେ। ମନଭରି ନାଚିବା ସହିତ ସେମାନେ ପ୍ରଭାସଙ୍କ ଘର ସହ ଖୁବ୍ ସେଲ୍ଫି ନେଇଥିଲେ।

ବାହୁବଳୀ ପରେ ପ୍ରଭାସଙ୍କ ନୂଆ ଫିଲ୍ମ ପର୍ଦ୍ଦାକୁ ଆସି ନାହିଁ । ତେବେ ଖୁବ୍ ଶୀଘ୍ର ତାଙ୍କ ଅଭିନିତ ଫିଲ୍ମ ‘ସାହୋ’ ପର୍ଦାକୁ ଆସିବ ବୋଲି ଆଶା କରାଯାଉଛି। ଯେଉଁଥିରେ ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଆକ୍ସନ ପ୍ୟାକ୍ଡ ଫିଲ୍ମ ଦର୍ଶକଙ୍କୁଖୁବ୍ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ସୂଜିତ ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୧୫ ବେଳକୁ ଥିଏଟରରେ ପ୍ରଦର୍ଶିତ ହେଉଥିବ । ଫିଲ୍ମର କୌଣସି ଦୃଶ୍ୟର ଫଟୋ ଏପର୍ଯ୍ୟନ୍ତ ପ୍ରଯୋଜକ ଲିକ୍ କରିନଥିବା ବେଳେ କେବଳ ପୋଷ୍ଟର ଜାହା ଆସିଛି।