ନୂଆଦିଲ୍ଲୀ: ଭାରତକୁ ବଡ଼ ଲୋନ୍ ଦେବାକୁ ଯାଉଛନ୍ତି ଜାପାନ ସରକାର । ମଙ୍ଗଳବାର ଅର୍ଥ ମନ୍ତ୍ରାଳୟ ତରଫରୁ ଜାରି ସୂଚନା ଅନୁଯାୟୀ, ଜାପାନ ସରକାର ପ୍ରାୟ ୧୨,୮୦୦ କୋଟିର ଲୋନ୍ ଭାରତକୁ ଦେବେ। ଏହି ନିବେଶ ଭାରତରେ ସଡ଼କ ନିର୍ମାଣ, ସ୍ବାସ୍ଥ୍ୟ, ଷ୍ଟାର୍ଟ-ଅପ୍, ରେଳ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଭିନ୍ନ କ୍ଷେତ୍ରରେ କରାଯିବ।
ତେବେ ଯେଉଁ ପ୍ରୋଜେକ୍ଟରେ ଏହି ଅର୍ଥ ନିବେଶ କରାଯିବ ସେମାନଙ୍କ ମଧ୍ୟରେ ରହିଛି ନର୍ଥ ଇଷ୍ଟ ରୋଡ୍ ନେଟଓ୍ବର୍କ ସଂଯୋଗୀକରଣ, ତେଲେଙ୍ଗାନାରେ ଷ୍ଟାର୍ଟଅପ୍ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହନ, ଚେନ୍ନାଇ ଫେରିଫେରାଲ ରିଙ୍ଗ୍ ରୋଡ୍ର ନିର୍ମାଣ, ହରିୟାଣାରେ ସ୍ଥାୟୀ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ, ରାଜସ୍ଥାନରେ ଜଳବାୟୁ ପରିବର୍ତ୍ତନ ପ୍ରତିକ୍ରିୟା ଏବଂ ଇକୋସିଷ୍ଟମ ସେବା ଆଦି।
ପୂର୍ବୋତ୍ତରରେ ରାସ୍ତା ସଂଯୋଗୀକରଣ ପ୍ରୋଜେକ୍ଟର ଲକ୍ଷ୍ୟ ରହିଛି ଏଠାରେ ଭିତ୍ତିଭୂମିର ବିକାଶ। ଚେନ୍ନାଇ ପେରିଫେରାଲ୍ ରିଙ୍ଗ୍ ରୋଡ୍ ପ୍ରୋଜେକ୍ଟ ଟ୍ରାଫିକ୍ ସମସ୍ୟାକୁ ଦୂର କରିବ ଏବଂ ରାଜ୍ୟର ଦକ୍ଷିଣ ଭାଗ ସହ ଯୋଗାଯୋଗ ସୁଦୃଢ଼ ହେବ। ଆହୁରି ମଧ୍ୟ ନାଗାଲାଣ୍ଡରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ, ତେଲେଙ୍ଗାନରେ ଏମଏସଏମଇ ବ୍ୟବସାୟକୁ ବୃଦ୍ଧି ନେଇ ଲକ୍ଷ୍ୟ ରହିଥିବା ମନ୍ତ୍ରାଳୟ ତରଫରୁ କୁହାଯାଇଛି।।
ଆହୁରି ପଢ଼ନ୍ତୁ: ଜାପାନକୁ ପଛରେ ପକାଇ ତୃତୀୟ ବଡ଼ ଅର୍ଥନୀତି ହେଲା ଜର୍ମାନୀ; ଭାରତ କେଉଁ ସ୍ଥାନରେ ଜାଣନ୍ତୁ
ଏଥିପାଇଁ ଭାରତର ଅର୍ଥନୈତିକ ବ୍ୟାପାର ମାମଲାର ଅତିରିକ୍ତ ସଚିବ ବିକାଶ ଶୀଲ ଏବଂ ଭାରତରେ ଜାପାନର ଆମ୍ବାସଡର ସୁଜୁକୀ ହିରୋସୀଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଛି। ଚୁକ୍ତିରେ ଆହୁରି କୁହାଯାଇଛି ଯେ, ଭାରତ ଏବଂ ଜାପାନ ମଧ୍ୟରେ ୧୯୫୮ରୁ ଦ୍ବିପାକ୍ଷିକ ବିକାଶ ସହଯୋଗର ଏକ ଦୀର୍ଘ ଇତିହାସ ରହିଛି। ଏଥିରେ କୁହାଯାଇଛି ଏହି ନିବେଶ ଦ୍ବାରା ଭାରତ ଏବଂ ଜାପାନ ମଧ୍ୟରେ ରଣନୀତିକ ଏବଂ ବୈଶ୍ବିକ ବୁଝାମଣା ଆହୁରି ମଜଭୁତ ହେବ।