କେବଳ ଆମେରିକା ନୁହେଁ, ଜାପାନ ଆକାଶରେ ବି ଗୁଇନ୍ଦା ବେଲୁନ ଉଡ଼ାଇଛି ଚୀନ
15/02/2023 at 4:50 PM

ଟୋକିଓ: କେବଳ ଆମେରିକା ଓ କାନାଡ଼ା ନୁହେଁ, ଜାପାନ ଆକାଶରେ ମଧ୍ୟ ଦେଖାଦେଇଛି ଚୀନର ଗୁଇନ୍ଦା ବେଲୁନ। ଏନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ବର୍ଷ ହେଲା ଜାପାନ ଆକାଶରେ ଏଭଳି ଅଜଣା ଉଡ଼ନ୍ତା ଏୟାରକ୍ରାଫ୍ଟ ଉଡ଼ୁଥିବାର ଦେଖିବାକୁ ମିଳିଛି। ଏଗୁଡ଼ିକ ଚୀନର ଗୁଇନ୍ଦା ବେଲୁନ ହୋଇପାରେ ବୋଲି ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।
ଏନେଇ ମନ୍ତ୍ରାଳୟ କହିଛି ଯେ ୨୦୧୯ ପରଠାରୁ ଚୀନର ଗୁଇନ୍ଦା ବେଲୁନ ଜାପାନ ଆକାଶ ସୀମାରେ ୩ ଥର ପ୍ରବେଶ କରିଛି। ୨୦୧୯, ୨୦୨୦ ଓ ୨୦୨୧ରେ ଏହି ବେଲୁନ ଦେଖା ଦେଇଥିଲା ବୋଲି ରୟଟର୍ସକୁ ପ୍ରତିକ୍ରିୟା ଦେଇ କହିଛି ଜାପାନ।
ତେବେ ଏହି ଘଟଣା ଉପରେ ଜବାବ ରଖିବାକୁ ଚୀନକୁ ତଲବ କରିଛି ଜାପାନ। ଘଟଣା ଉପରେ ପ୍ରତିକ୍ରିୟା ରଖିବାକୁ ଜାପାନ କହିଛି। ତା ସହିତ ଏଭଳି ଘଟଣା ଯେମିତି ଆଉ ଥରେ ନ ଘଟିବ ସେ ନେଇ ମଧ୍ୟ ଚୀନକୁ ସତର୍କ କରାଯାଇଥିବା ଜାପାନ କହିଛି।
ଏହା ପୂର୍ବରୁ ୧୦ ଦିନ ତଳେ ଆମେରିକାର ଉତ୍ତର ପଶ୍ଚିମ ସହର ମୋଣ୍ଟାନାରେ ଏହି ଗୁଇନ୍ଦା ବେଲୁନ ଦେଖାଯାଇଥିଲା। ଯାହାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିର୍ଦ୍ଦେଶରେ ମାରି ଖସାଇ ଦିଆଯାଇଥିଲା। ଚୀନର ସନ୍ଦିଗ୍ଧ ବେଲୁନ ଜନବସତି ଅଞ୍ଚଳର ଏୟାର ଟ୍ରାଫିକ ଉପରେ ଏବଂ ବାହ୍ୟ ବାୟୁ ମାର୍ଗ ତଳଭାଗରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା।
ରାଷ୍ଟ୍ରପତି ଜୋ ବାଇଡେନ୍ ବେଲୁନ୍ ନଷ୍ଟ କରିବାକୁ ମଞ୍ଜୁରୀ ଦେବା ପରେ ଆମେରିକା ସୁରକ୍ଷା ଏଜେନ୍ସି ବେଲୁନକୁ ମାରି ଖସାଇଥିଲା। ଏହି ବେଲୁନର ଆୟତନ ପ୍ରାୟ ୩ଟି ବସ୍ର ଆକାର ସହିତ ସମାନ ଥିଲା।
ସନ୍ଦିଗ୍ଧ ବେଲୁନ୍କୁ ଆମେରିକା ମାରି ଖସାଇବା ପରେ ପ୍ରତିକ୍ରିୟା ରଖିଥିଲା ଚୀନ୍ । ବେଲୁନ୍ ଗତିପଥ ବଦଳାଇ ଆମେରିକା ବାୟୁ ସୀମାକୁ ଚାଲିଯାଇଥିଲା। ଏହାକୁ ନଷ୍ଟ କରିବା ଅର୍ଥ ଅନ୍ତରାଷ୍ଟ୍ରୀୟ ଅଭ୍ୟାସ ନିୟମ ଉଲ୍ଲଙ୍ଘନ କରିବା ସହିତ ସମାନ । ଆମେରିକାକୁ ଏହାର ଫଳ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲା ଚୀନ୍ ।
ସେହିପରି ନିକଟରେ କାନାଡ଼ାରେ ମଧ୍ୟ ଏକ ସନ୍ଦିଗ୍ଧ ଏୟାର୍କ୍ରାଫ୍ଟ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। କାନାଡ଼ା ସରକାରଙ୍କର ସହଯୋଗରେ ଏହି ଏୟାରକ୍ରାଫ୍ଟକୁ ଗୁଳି କରି ଖସାଇ ଦିଆଯାଇଥିଲା।