କରୋନା ସଂକ୍ରମିତ ଜାହାଜରେ ଓଡିଆ ଯୁବକ, ଉଦ୍ଧାର ଲାଗି ଭାରତ ସରକାରଙ୍କୁ ପିତାଙ୍କ ଆକୁଳ ନିବେଦନ
19/02/2020 at 6:37 PM

ବ୍ରହ୍ମପୁର ୧୯।୨: ଜାପାନ କରୋନା ଆକ୍ରାନ୍ତ ଜାହାଜରେ ଓଡ଼ିଆ ଯୁବକ ! ଜାପାନର ୟୋକୋହାମା ବନ୍ଦରରେ ଅଟକିଥିବା କ୍ରୁଜ୍ ସିପ୍ ‘ ଡାଇମଣ୍ଡ ପ୍ରିନ୍ସେସ୍’ରେ ଅଛନ୍ତି ବ୍ରହ୍ମପୁରର ଶିବାଶିଷ ନାୟକ । ଏକ କମ୍ପାନୀ ପକ୍ଷରୁ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ କର୍ମଚାରୀ ଭାବେ କାମ କରୁଛନ୍ତି ଶିବାଶିଷ । ସେ ୧୫ ଦିନ ହେଲାଏହି କ୍ରୁଜ୍ରେ ଅଟକି ରହିଥିଲେ ମଧ୍ୟ ତାଙ୍କର ଉଦ୍ଧାର ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ । ଶିବାଶିଷଙ୍କୁ ଉଦ୍ଧାର କରିବା ପାଇଁ ଏବେ ତାଙ୍କ ପିତା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ବିଳାଶପୂର୍ଣ୍ଣ ସମୁଦ୍ର ଯାତ୍ରା ଲାଗି ଏହି ଜାହାଜରେ କର୍ମଚାରୀ ଭାବେ କାମ କରନ୍ତି ଶିବାଶିଷ ନାୟକ । ସେହି ଜାହାଜରେ ଥିବା ୩ ହଜାର ୭୧୧ ଜଣ ଲୋକଙ୍କ ମଧ୍ୟରୁ ୪୫୪ ଜଣଙ୍କ ଠାରେ କରୋନା ଭାଇରାସ୍ ଚିହ୍ନଟ ହୋଇଛି । ଜାପାନରେ କରୋନା ବ୍ୟାପିବା ଆଶଙ୍କାରେ ଜାହାଜରୁ କାହାରିକୁ ବାହାରକୁ ଛଡ଼ାଯାଉନାହିଁ । ଯେଉଁମାନେ ସୁସ୍ଥ ଅଛନ୍ତି ସେମାନଙ୍କୁ ନିଜ ନିଜ ରୁମ୍ରେ ବନ୍ଦ କରି ରଖାଯାଇଛି । ସେମାନଙ୍କୁ ଜାହାଜ ଭିତରେ କ୍ବାରାଣ୍ଟାଇନ୍ କରାଯାଇଛି ।

ଜାହାଜରେ ଅଟକ ଲୋକଙ୍କ ମଧ୍ୟରେ ଅନେକ ଭାରତୀୟ ଯାତ୍ରୀବି ଅଛନ୍ତି । ଶିବାଶିଷ ଏବେ ୧୫ ଦିନ ହେଲା ଜାହାଜରେ ବନ୍ଦୀ ଜୀବନ ବିତାଉଛନ୍ତି। ସେ ଘରକୁ ଫେରିବାକୁ ଚାହୁଁଥିଲେ ହେଁ କୌଣସି ଉପାୟ ନାହିଁ । ଏପଟେ ବ୍ରହ୍ମପୁର ପନ୍ଦରାସାହିରେ ଥିବା ତାଙ୍କର ପରିବାର ଲୋକେ ଚିନ୍ତାରେ । ପୁଅ କେମିତି ସୁରକ୍ଷିତଘରକୁ ଫେରିବ ସେଥିଲାଗି ତାଙ୍କ ପିତା ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।

ଶିବାଶିଷ ଫୋନ୍ରେ ତାଙ୍କର ଅବସ୍ଥା ସଂପର୍କରେ ପରିବାର ଲୋକଙ୍କୁ ଜଣାଉଛନ୍ତି । ଖାଇବା ପିଇବା ଠିକ୍ ହେଉନଥିବାରୁ ଦିନକୁ ଦିନ ସେ ଦୁର୍ବଳ ହୋଇପଡୁଥିବା କହିଛନ୍ତି । ପୁଅ କେମିତି ସୁସ୍ଥ ଘରକୁ ଫେରିବ ସେଥିପାଇଁ ବାପା ଲିଙ୍ଗରାଜ ନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଗୋଟିଏ ପଟେ ଚୀନ୍ରେ କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ଟପିଛି । ଆଉ ଆକ୍ରାନ୍ତଙ୍କ ସଂଖ୍ୟା ଟପିଯାଇଛି ୭୪ ହଜାର। ଏମିତି ସ୍ଥିତିରେ କରୋନାକୁ ନେଇ ସାରା ବିଶ୍ୱରେ ସତର୍କତା ବଢ଼ିଯାଇଛି । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍ ହୋଇଛି ।

ଯେଉଁଥିରେ ଦର୍ଶାଯାଇଛି ଯେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ମେଡିକାଲ ରିପୋର୍ଟରେ କରୋନା ଭାଇରସ୍ ଡିଟେକ୍ଟେଡ୍ ବୋଲି ଲେଖାଯାଇଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି ଯେ ଏହା କରୋନା କିନ୍ତୁ କୋଭିଡ୍-19 ନୁହେଁ । ଏଥିପାଇଁ ଭୟଭୀତ ହେବାର ନାହିଁ ।