ଜାପାନ ରାଜନୀତିରେ ହଲଚଲ; ପ୍ରଧାନମନ୍ତ୍ରୀ କିସିଦାଙ୍କ ସହ ପୂରା କ୍ୟାବିନେଟର ଇସ୍ତଫା

Published By : Prameya-News7 Bureau | October 01, 2024 IST

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା । ମଙ୍ଗଳବାର ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ଦେଇଛନ୍ତି ପିଏମ୍ ଫୁମିଓ କିସିଦା । ଏହାକୁ ନେଇ ଏବେ ଜାପାନ ରାଜନୀତି ହଲଚଲ ହୋଇଛି । ଫୁମିଓ କିସିଦା ୨୦୨୧ରୁ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ଥିଲେ । କିସିଦାଙ୍କ ପରେ ଏବେ ଶିଗେରୁ ଇଶିବାଙ୍କ ପ୍ରଧାନମନ୍ତ୍ରୀ ହେବା ରାସ୍ତା ସଫା ହୋଇଛି । ଜାପାନରେ ଆସନ୍ତା ଅକ୍ଟୋବର ୨୭ ତାରିଖରେ ସାଂସଦୀୟ ନିର୍ବାଚନ ହେବା ନେଇ ଯୋଜନା ହୋଇଛି । ଏହା ପରେ ତାଙ୍କୁ ଔପଚାରିକ ଭାବେ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯିବ ।   

ଶିଗେରୁ ଇଶିବା ଯୋଜନାକୁ ନେଇ ବିରୋଧ ଦଳ ନେତା ସମାଲୋଚନା କରିଛନ୍ତି । ମତଦାନ ପୂର୍ବରୁ ସଂସଦୀୟ ନୀତି ଗୁଡ଼ିକୁ ଯାଞ୍ଚ ଏବଂ ଚର୍ଚ୍ଚା ପାଇଁ ସ୍ବଳ୍ପ ସମୟ ମିଳିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସ୍ଥାନ ପୂରଣ ପାଇଁ ଇଶିବାଙ୍କୁ ଶୁକ୍ରବାର ଲିବେରସନ ଡେମୋକ୍ରାଟିକ୍ ପାର୍ଟିର ନୂଆ ନେତା ଭାବେ ବଛା ଯାଇଥିଲା । ଅନ୍ୟପଟେ ଫୁମିଓ କିସିଦା ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ଲାଗି ଗତ ଅଗଷ୍ଟ ମାସରେ ଘୋଷଣା କରିଥିଲେ । ଆଜି ତାଙ୍କ ତିନି ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି । ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ଦେଇଛନ୍ତି ।      

ଏପଟେ ଆଜି ଜାପାନ ସଂସଦରେ ମତଦାନ ପରେ ଇଶିବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇପାରେ । କାରଣ ସଂସଦରେ ଇଶିବାଙ୍କ ପାର୍ଟି ନିକଟରେ ବହୁମତ ରହିଛି । ମୁଖ୍ୟ କ୍ୟାବିନେଟ୍ ସଚିବ ୟୋଶିମାସା ହୟାଶି କହିଛନ୍ତି,  କିସିଦା ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଆଜି ସକାଳ କ୍ୟାବିନେଟ୍ ବୈଠକ ବେଳେ ଇସ୍ତଫା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.