ଟୋକିଓ ଛାଡିଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା, ଜନସଂଖ୍ୟା ବୋଝ କମାଇବାକୁ ସରକାରଙ୍କ ଯୋଜନା
6/01/2023 at 9:35 PM

ନୂଆଦିଲ୍ଲୀ: ଜାପାନ ସରକାର ରାଜଧାନୀ ଟୋକିଓରେ ବଢୁଥିବା ଜନସଂଖ୍ୟା ବୋଝକୁ କମ କରିବା ପାଇଁ ନୂଆ ଯୋଜନା ବାହାର କରିଛନ୍ତି । ରିପୋର୍ଟ ଅନୁସାରେ, ଟୋକିଓ ଛାଡିବା ନେଇ ଯୋଜନା କରୁଥିବା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନେଇ ନୀତି ପ୍ରଣୟନ କରିଛନ୍ତି । ଏହା ଅନୁସାରେ ରାଜଧାନୀ ଛାଡିବା ପାଇଁ ପରିବାରକୁ ପ୍ରତି ସନ୍ତାନ ପିଛା ୧ ମିଲିୟନ ୟେନ ଦିଆଯିବ । ଏହିପରି ତିନି ସନ୍ତାନ ଥିବା ପରିବାର ଟୋକିଓ ଛାଡିଲେ ତାଙ୍କୁ ସରକାର ୩୦ ମିଲିୟନ ୟେନ ଦେବେ ।
ମିଡିଆ ରିପୋର୍ଟ ଅନୁସାରେ, ଜାପାନ ସରକାର ୨୦୨୭ ସୁଦ୍ଧା ଟୋକିଓକୁ ୧୦,୦୦୦ ଲୋକଙ୍କୁ ଗ୍ରାମାଞ୍ଚଳକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ୨୦୨୧ରେ ସରକାର ଏଥିପାଇଁ ୧,୧୮୪ ପରିବାକୁ ସହଯୋଗ କରିଥିଲେ । ୨୦୨୦ରେ ଏହି ସଂଖ୍ୟା ମାତ୍ରା ୨୯୦ ଥିଲା । ତେବେ ସରକାରଙ୍କ ବର୍ତ୍ତମାନର ନିୟମ ଆସନ୍ତା ଏପ୍ରିଲ ମାସରୁ ଲାଗୁ ହେବ ଏବଂ ସରକାର ଏଥିପାଇଁ ଏକ ବଡ଼ ଧନରାଶି ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଉଛି ।
ନୂଆ ଯୋଜନା ଅନୁସାରେ, ୧୦ ଲକ୍ଷ ୟେନ ସହାୟତା ରାଶି ସହ ସରକାର ଏହି ପରିବାରର ପିଲାଙ୍କ ପାଇଁ ଅତିରିକ୍ତ ସହାୟତା ରାଶି ଦେବେ । ତେବେ ସେଣ୍ଟ୍ରାଲ ଟୋକିଓରେ ୫ ବର୍ଷରୁ ଅଧିକ ସମୟ ଧରି ରହୁଥିବା ଲୋକଙ୍କୁ ଏହି ଅତିରିକ୍ତ ସହଯୋଗ ମିଳିବ । ରିପୋର୍ଟରେ କୁହାଯାଇଛି ଯେ ଯଦି ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ତେବେ ସେଥିପାଇଁ ମଧ୍ୟ ଅତିରିକ୍ତ ସହଯୋଗ ଯୋଗାଇବେ ସରକାର।
ତେବେ କୌତୁହଳର ବିଷୟ ଏହା ଯେ ଟୋକିଓର ଜନସଂଖ୍ୟାରେ ଗତ ବର୍ଷ ପ୍ରଥମ ଥର ପାଇଁ ହ୍ରାସ ଘଟିଥିଲା । ଏହାପରେ ବି ରାଜଧାନୀର ଜନସଂଖ୍ୟା ଘନତ୍ୱକୁ କମ କରିବା ପାଇଁ ଆନେକ କିଛି କରାଯିବାର ଆବଶ୍ୟକତା ଥିବା ଜାପାନର ନୀତି ନିର୍ମାତା ମତ ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦେଶର ଯୁବକ ଟୋକିଓ, ଓସାକା ଓ ଅନ୍ୟ ସହରରେ ବାସ କରିବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି କାରଣରୁ ସହରର ଗୁଡିକରେ ଜନସଂଖ୍ୟା ଲଗାତାର ବଢିବାରେ ଲାଗିଛି ।