ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
Published By : Prameya-News7 Bureau | September 02, 2018 IST
ପୁରୀ ୨|୯: ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୁଏ । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏକ ସ୍ବତନ୍ତ୍ର ବନ୍ଦାପନା ହୋଇଥାଏ। ଯାହାର ନାଁ ହେଉଛି ଗର୍ଭୋଦକ ବନ୍ଦାପନା । ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ, ଜନ୍ମାଷ୍ଟମୀ ପୂର୍ବଦିନ ସେ ହିଁ ଦେବକୀ ଭାବେ ଗର୍ଭକଷ୍ଟ ଭୋଗୁଥିବା ଅନୁମାନ କରାଯାଇ ଏହି ବନ୍ଦାପନା କରାଯାଇଥାଏ। ଖାଲି ବନ୍ଦାପନା ନୁହେଁ, ଏହି ସମୟରେ ମହାପ୍ରଭୁଙ୍କ ବାଡ଼ରେ ଜେଉଟ ଭୋଗ ଲାଗି ହୋଇଥାଏ। ଯାହା ଭିନ୍ନ ଭିନ୍ନ ସ୍ବାଦଯୁକ୍ତ ଓ ପାରମ୍ପରିକ ଖାଦ୍ୟର ସମାହାରରେ ପ୍ରସ୍ତୁତ ହୁଏ। ଗର୍ଭଧାରିଣୀ ମହିଳାଙ୍କ ପାଟିକୁ ପ୍ରସବ ଯନ୍ତ୍ରଣାବେଳେ ସବୁ କିଛି ଅରୁଚି ଲାଗେ। ଏଣୁ ପିତା, ଖଟା, ମିଠା, ଏସମସ୍ତ ସ୍ବାଦର ମିଶ୍ରଣରେ ଏକ ନିଆରା ଖାଦ୍ୟ ତାଙ୍କୁ ପରଷା ଯାଇଥାଏ। ଆୟୁର୍ବେଦରେ ଏହାକୁ ଉପଚାର ବୋଲି ମଧ୍ୟ କେହି କେହି ଗବେଷକ କୁହନ୍ତି। ଏହି ନ୍ୟାୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଜେଉଟ ଭୋଗ ଲାଗି ହେବା ପରେ ଯାଇ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପନ୍ନ ହୋଇଥାଏ। ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହୁଏ। ଯେହେତୁ କୃଷ୍ଣ ନିଶାର୍ଦ୍ଧରେ ଜନ୍ମ ହୋଇଥିଲେ , ତେଣୁ ଏହି ପୂଜା ରାତିରେ ହୁଏ। ରୂପାରେ ନିର୍ମିତ ପଦ୍ମ ପାଖୁଡା ଉପରେ ସୁବର୍ଣ୍ଣ କୃଷ୍ଣ ପ୍ରତିମାଙ୍କୁ ରଖି ଜନ୍ମନୀତି ପାଳନ ହୁଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଭୁଜରୁ ଆଜ୍ଞାମାଳ ଆସିବା ପରେ ମଦନ ମୋହନଙ୍କ ଉପସ୍ଥିତିରେ ଦୁଇ ମହାଜନ ସେବକ ଦେବକୀ ଓ ବସୁଦେବ ହୋଇ ଜନ୍ମନୀତି ସମ୍ପନ୍ନ କରିଥାନ୍ତି। ଜନ୍ମନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପରିସରରେ ଥିବା ନାଭିକଟା ମଣ୍ଡପରେ ମହାପ୍ରଭୁଙ୍କ ନାଭିଛେଦନ ଉତ୍ସବ ସମ୍ପନ୍ନ ହୋଇଥାଏ। କୃଷ୍ଣ ଜନ୍ମନୀତି ପାଇଁ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ସାଢେ ୫ଟାରୁ ରାତି ସାଢେ ୧୦ଟା ଯାଏଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।