ଶପଥ ଗ୍ରହଣ ପାଇଁ ପ୍ରସ୍ତୁତ ହେଲାଣି ଜନତା ମଇଦାନ, ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀ ମୁହାଁ ଓଡ଼ିଶା ନେତା

Published By : Prameya-News7 Bureau | June 06, 2024 IST

ଭୁବନେଶ୍ଵର:  ବିଧାନସଭାରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ ପରେ ରାଜ୍ୟରେ ଏକାକୀ ସରକାର ଗଠନ କରିବାକୁ ଯାଉଛି  ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ଅନୁଯାୟୀ  ଆସନ୍ତା ୧୦ ତାରିଖରେ  ଶପଥ ଗ୍ରହଣ ସମାରୋହ ପାଇଁ  ପ୍ରସ୍ତୁତ ହେଲାଣି ଭୁବନେଶ୍ବର ଜନତା ମଇଦାନ । ତେବେ କିଏ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ସେନେଇ ଦିଲ୍ଲୀରେ କାଲି ମାନସ ମନ୍ଥନ କରିବ ବିଜେପି । ସେଥିପାଇଁ ଦିଲ୍ଲୀ ମୁହାଁ ହୋଇଛନ୍ତି ରାଜ୍ୟ ବିଜେପିର  ଶୀର୍ଷ ନେତୃତ୍ବ ।

ରାଜ୍ୟରେ ଜୁନ ୧୦ରେ ଶପଥ ନେବ ବିଜେପି ସରକାର । ଓଡ଼ିଶାରେ ପ୍ରଥମ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବକୁ ମହାସମାରୋହରେ  ପାଳନ କରିବା ପାଇଁ ଚାଲିଛି ପ୍ରସ୍ତୁତି ।  ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ।  ଚାଲିଲାଣି ଟେଣ୍ଟ ବନ୍ଧା  ଲାଉଞ୍ଜ ଓ ହ୍ୟାଙ୍ଗର ପାଇଁ ଆସିଲାଣି  ମଞ୍ଚ ସାମଗ୍ରୀ । ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୩୦ ହଜାର ଲୋକ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ  ଅମିତ ଶାହାଙ୍କ ସହ ବିଜେପିର ବହୁ ତୁଙ୍ଗ ନେତାଙ୍କ ସମେତ ବିଜେପି ଶାସିତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗ ଦେବାର ସମ୍ଭାବନା ରହିଛି। ଶପଥଗ୍ରହଣ ଉତ୍ସବର ମୁଖ୍ୟ ପେଣ୍ଡାଲ  ୬୦ ଫୁଟରେ ୬୦ ଫୁଟ ସାଇଜ କରିବାକୁ ଯୋଜନା ହୋଇଛି।  ହିଟ ଓ୍ବେଭକୁ ଦୃଷ୍ଟି ରେ ରଖି  ଶପଥ ଗ୍ରହଣ ଉତ୍ସବ ସ୍ଥଳରେ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ହେବ। ୯ ତାରିଖ ସୁଦ୍ଧା କାମ ଶେଷ କରି ହସ୍ତାନ୍ତର କରିବ ପୂର୍ତ୍ତ ବିଭାଗ। 

Also read: ପରାଜୟ ପରେ ଆସିଲା ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ

ତେବେ କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ? କିଏ ଧରିବ ରାଜ୍ୟ ଶାସନ ମଙ୍ଗ ?  ପୂର୍ଣ୍ଣ ବହୁମତରେ ବିଜୟୀ ହେବା ପରେ ଏବେ ରାଜ୍ୟରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି ବିଜେପି । କେନ୍ଦ୍ରୀୟ ବିଜେପିର ଘୋଷଣା ଅନୁସାରେ ଓଡିଆ ଅସ୍ମିତା ଓ ଓଡିଆଙ୍କ ଭାବାବେଗ ସହ ଜଡିତ ଥିବା ଜଣେ ଓଡିଆ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଜେପି ପାଲ୍ୟାମେଣ୍ଟାରୀ ବୋର୍ଡ ବୈଠକରେ ଏ ନେଇ ନିଷ୍ପତ୍ତି ହେବ । ସେଥିପାଇଁ ଦିଲ୍ଲୀ ମୁହାଁ ହୋଇଛନ୍ତି ରାଜ୍ୟ ବିଜେପିର  ଶୀର୍ଷ ନେତୃତ୍ବ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଜୟନାରାୟଣ ମିଶ୍ର ଦିଲ୍ଲୀ ଯିବେ । ସେପଟେ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଥିବାବେଳେ କାଲି ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ  ମୋହର ବାଜିବ । ଏହା ପୂର୍ବରୁ ନବ ନିର୍ବାଚିତ ସାଂସଦ ମାନେ ଦିଲ୍ଲୀ ଯାଇଛନ୍ତି ସେମାନଙ୍କ ମତାମତ ନେଇ ପାରନ୍ତି ବିଜେପି ଶୀର୍ଷ ନେତୃତ୍ବ ।

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.