ପାର୍କରୁ ଉଦ୍ଧାର ହେଲା ଯୁବକ-ଯୁବତୀଙ୍କ ମୃତଦେହ : ଯୁବତୀଙ୍କ ହାତରେ ଥିଲା ପିସ୍ତଲ
30/10/2019 at 1:11 PM

ଜାମଶେଦପୁର ୩୦/୧୦: ଜୁଗସଲାଇ ଥାନା ଅଞ୍ଚଳର ଟାଟା ପିଗମେଣ୍ଟ ନିକଟସ୍ଥ ଏକ ପାର୍କରୁ ଆଜି ସକାଳେ ଯୁବକ-ଯୁବତୀଙ୍କ ଶବ ଉଦ୍ଧାର କରାଯାଇଛି। ଉଭୟଙ୍କ ମୁଣ୍ଡରେ ଏବଂ କାନମୁଣ୍ଡାରେ ଗୁଳି ବାଜିବାର ଚିହ୍ନ ରହିଛି। ଯୁବତୀଙ୍କ ହାତରୁ ପିସ୍ତଲ ଜବତ ହୋଇଛି। ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ଏହା ଆତ୍ମହତ୍ୟା ନା ହତ୍ୟା ଏବାବଦରେ ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି।
ମୃତ ଯୁବକ ହେଉଛନ୍ତି ବାଗବେଡ଼ା ରେଲଓ୍ବେ ଟ୍ରାଫିକ୍ କଲୋନୀ ବାସିନ୍ଦା ସରୋଜ ଉପାଧ୍ୟାୟ(୨୦) ଏବଂ ଯୁବତୀ ସିମରନ(୨୨) ହେଉଛନ୍ତି ବାଗବେଡ଼ା ବାସିନ୍ଦା। ସରୋଜ ଜାମଶେଦପୁରର କୋଅପରେଟିଭ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ଲୋକଙ୍କ କହିବାନୁସାରେ, ଦୁହେଁ ପ୍ରେମିକ-ପ୍ରେମିକା ଥିଲେ।
ଆଜି ସକାଳେ ପାର୍କକୁ ମର୍ଣ୍ଣିଙ୍ଗ ଓ୍ବାକ୍ ପାଇଁ ଯାଇଥିବା ସ୍ଥାନୀୟ ଲୋକେ ସର୍ବପ୍ରଥମେ ମୃତଦେହ ଦେଖିଥିଲେ। ସେମାନେ ଏହାର ସୂଚନା ପୋଲିସକୁ ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଏହା ପରେ ଉଭୟଙ୍କ ପରିବାର ଲୋକଙ୍କୁ ଏବିଷୟରେ ସୂଚନା ଦିଆଯାଇଥିଲା।
ସରୋଜଙ୍କ ମୁଣ୍ଡରେ ୩ଟି ଗୁଳି
ଏବଂ ସିମରନଙ୍କ କାନମୁଣ୍ଡାରେ ଗୋଟିଏ ଗୁଳି ବାଜିଥିବାର ଚିହ୍ନ ରହିଛି। ଏହା ସହିତ ସିମରନଙ୍କ ହାତରୁ
ପିସ୍ତଲ ମଧ୍ୟ ମିଳିଛି।