ବରଫପାତ ଯୋଗୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗରେ ଲମ୍ବା ଜାମ୍, ଅନେକ ସମୟ ପରେ ଖୋଲିଲା ରାସ୍ତା

Published By : Prameya-News7 Bureau | January 14, 2023 IST

ବନିହାଲ ୧୪।୧: ପାଗରେ ସୁଧାର ଯୋଗୁ ଶନିବାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗରେ ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ କାଜିଗୁଣ୍ଡ-ବନିହାଲ ମଧ୍ୟରେ ରାସ୍ତାରେ ଜମା ହୋଇଥିବା ବରଫ ହଟାଯିବା ସହ ରାମବନ ସେକ୍ଟରର ଅନେକ ସ୍ଥାନରେ ହୋଇଥିବା ଭୂ-ସ୍କଳନକୁ ରାସ୍ତାରୁ ସଫା  କରାଯିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଜାତୀୟ ରାଜମାର୍ଗରେ ଯାନବାହନ ଚଳାଚଳକୁ ଅନୁମତି ମିଳିଛି। 

ଜମ୍ମୁ ଓ ଶ୍ରୀନଗର ରାସ୍ତାର ଉଭୟ ପଟରେ ଏବେ ହାଲୁକା ମୋଟର ଯାନ ଯାତାୟାତକୁ ଅନୁମତି ମିଳିଥିବା ବେଳେ ଭାରି ଯାନ ନିମନ୍ତେ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି, ଯାହା ଆଉ କିଛି ସମୟ ପରେ ସ୍ୱଭାବିକ ହୋଇଯିବ ବୋଲି ଅନୁମାନ କରାଯାଉଛି। ତେବେ ମାତା ବୈଷ୍ଣୋଦେବୀ ମନ୍ଦିର, ପଟନୀଟପ ହିଲ ରିଜୋର୍ଟ ସମେତ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଏବେବି ହୀମପାତ ଜାରି ରହିଛି। ଏଥିରେ ରାମବନ ଓ ଉଧମପୁର ରାଜମାର୍ଗ ଟାଉନସିପ୍‌ ସମେତ ଜମ୍ମୁ ସଂଭାଗର ଅନ୍ୟ ସମତଳ କ୍ଷେତ୍ରରେ ଶୁକ୍ରବାର ବର୍ଷା ହୋଇଥିଲା।

{"id":733055,"width":841,"height":537,"sizeSlug":"full","linkDestination":"none"}

ଫଳରେ ମେହର, କେଫେଟରିଆ ମୋଡ ଓ ପନ୍ଥିଆଲରେ ହାଇୱେ କୁ ମୁହଁ କରିଥିବା ପାହାଡମାନଙ୍କରୁ ମାଟି ଓ କାଦୁଅ ଅତଡା ଧସି ଆସି ସଡକକୁ ପିଛିଳ କରିଥିଲା। ଏଣୁ ରାଜମାର୍ଗକୁ ଯାନବାହନ ଚଳାଚଳ ନିମନ୍ତେ ବନ୍ଦ କରିଦିଆଯାଇଥିଲା। ତେବେ ଶନିବାର ପାଗରେ ସୁଧାର ସହ ରାସ୍ତା ସଫେଇ ଅଭିଯାନ ସକାଳୁ ଆରମ୍ଭ କରିଦିଆଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଫଳରେ ଯାନବାହନ ଚଳାଚଳ ଲାଗି ହାଇୱେକୁ ପୁଣି ଥରେ ଖୋଲାଯାଇ ପାରିଛି।

ସେପଟେ ଘରୋଇ ପାଣିପାଗ ଏଜେନ୍ସୀ ସ୍କାଇମେଟ୍ ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ ଶନିବାର ଓ ରବିବାର ଗିଲଗିଟ-ବାଲତିସ୍ତାନ, ମୁଜଫରାବାଦ, ଜମ୍ମୁ, କାଶ୍ମୀର, ଲଦ୍ଦାଖ ଓ ହିମାଚଳ ପ୍ରଦେଶର କେତେକ ଅଞ୍ଚଳରେ ବର୍ଷା ସହିତ ହିମପାତ ହୋଇପାରେ। ସେହିପରି ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ମଧ୍ୟ ହୀମପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.