ସରକାରୀ କର୍ମଚାରୀଙ୍କୁ ଭାରି ପଡ଼ିବ ଆତଙ୍କୀଙ୍କ ସହ ସମ୍ପର୍କ, ଜାମ୍ମୁ-କାଶ୍ମୀରରେ ଟିଏମଜି ଗଠନ
27/01/2023 at 8:09 PM

ଶ୍ରୀନଗର: ଜାମ୍ମୁ-କାଶ୍ମୀରରୁ ସମ୍ପୂର୍ଣ୍ଣ ନିପାତ ହେବ ଆତଙ୍କବାଦ । ଆତଙ୍କୀ ମୂଳପୋଛ ପାଇଁ ଗଠନ ହୋଇଛି ଟେରର୍ ମନିଟରିଂ ଗ୍ରୁପ୍ । ତିନି ବର୍ଷରେ ଟ୍ରିପଲ୍ ଆଟାକ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପ୍ରଥମେ ଷ୍ଟେଟ୍ ଇନଭେଷ୍ଟିଗେଟିଂ ଏଜେନ୍ସି, ପରେ ଷ୍ଟେଟ୍ ଇନଭେଷ୍ଟିଗେଟିଂ ୟୁନିଟ୍ ଆଉ ଏବେ ଟେରର୍ ମନିଟରିଂ ଗ୍ରୁପ୍ ଗଠନ କରାଯାଇଛି । ଏହି ୟୁନିଟ ସନ୍ଦିଗ୍ଧ ପୋଲିସ କର୍ମୀ, ସରକାରୀ କର୍ମଚାରୀ ଉପରେ ନଜର ରଖିବ ।
ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ୍ ଏବେ ପୋଲିସ କର୍ମୀ, ସରକାରୀ କର୍ମଚାରୀ ଓ ଅର୍ଦ୍ଧସାମରିକ ବଳ ରହିଛନ୍ତି । ଯାହାଙ୍କୁ ଉସୁକାଇ ଲାଭ ଉଠାଇବାକୁ ଚାହୁଁଛନ୍ତି ଆତଙ୍କବାଦୀ ସଂଗଠନ । ଆତଙ୍କୀଙ୍କ ଏପରି ଇଚ୍ଛାକୁ ପଣ୍ଡ କରିବାକୁ ସୁରକ୍ଷା ଏଜେନ୍ସି ପକ୍ଷରୁ ଟେରର୍ ମନିଟାରିଂ ଗ୍ରୁପ ଗଠନ କରାଯାଇଛି । ଯାହାକୁ ଜାମ୍ମୁ-କାଶ୍ମୀର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ଗୃହ ବିଭାଗ ଅନୁଯାୟୀ, ଟେରର ମନିଟାରିଂ ଗ୍ରୁପରେ ଜଣେ ବରିଷ୍ଠ ପୋଲିସ ଅଧୀକ୍ଷକ, ୬ ପୋଲିସ ଉପ-ଅଧୀକ୍ଷକ, ୬ଜଣ ନିରୀକ୍ଷକ, ୬ଜଣ ହେଡ୍ କନେଷ୍ଟବଲ୍ ଏବଂ ଜଣେ ସହକାରୀ ରହିବେ । ଟେରର ମନିଟାରିଂ ଗ୍ରୁପ ଜାମ୍ମୁ-କାଶ୍ମୀର ପ୍ରଶାସନ ଅଧୀନରେ ରହିବ । ଏମାନେ ସନ୍ଦିଗ୍ଧ ପୋଲିସ କର୍ମଚାରୀଙ୍କ ଉପରେ ନଜର ରଖିବେ ।
ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରଖୁଥିବା ପୋଲିସ କର୍ମଚାରୀ, ଶିକ୍ଷକ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଟେରର ମନିଟାରିଂ ଗ୍ରୁପ । ଟେରର୍ ଫଣ୍ଡିଂ ସହିତ ଜଡ଼ିତ ରାଜନୈତିକ ନେତାଙ୍କ ଉପରେ ଏହି ଗ୍ରୁପ ନଜର ରଖିବା ସହିତ ଚିହ୍ନଟ କରି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ପ୍ରସ୍ତୁତ କରିବ ।
ଟିଏମଜିରେ ଜାମ୍ମୁ-କାଶ୍ମୀର ପୋଲିସ, ଆଇବି, ସିବିଆଇ, ଏନଆଇଏ ଏବଂ ଆୟକର ବିଭାଗର ପ୍ରତିନିଧି ରହିବେ । ଏହା ପୂର୍ବରୁ ଗଠନ ହୋଇଥିବା ଷ୍ଟେଟ୍ ଇନଭେଷ୍ଟିଗେଟିଂ ଏଜେନ୍ସି, ପରେ ଷ୍ଟେଟ୍ ଇନଭେଷ୍ଟିଗେଟିଂ ୟୁନିଟ୍ ଜାମ୍ମୁ-କାଶ୍ମୀରରେ ଭ୍ରଷ୍ଟାଚାର ଓ ଆତଙ୍କବାଦ ଉପରେ ଯାଞ୍ଚ କରୁଛି ।