ଆତଙ୍କବାଦୀଙ୍କ ଉପରେ ଭାରି ପଡ଼ୁଛି ସେନା, ଜାମ୍ମୁ-କାଶ୍ମୀରରେ ଚଳିତ ବର୍ଷ ୯୩ ଏନକାଉଣ୍ଟର, ୧୭୨ ଆତଙ୍କୀ ନିହତ

Published By : Prameya-News7 Bureau | December 31, 2022 IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସାମ୍ନାରେ ପ୍ରାଚୀର ହୋଇ ଛିଡ଼ା ହୋଇଛି ଭାରତୀୟ ସେନା । ଜାମ୍ମୁ-କାଶ୍ମୀରରେ ଆତଙ୍କୀ ସଂଗଠନକୁ ମିଳୁଛି ଦୃଢ଼ ଜବାବ । ରାଜ୍ୟରେ ଧୀରେ ଧୀରେ କମୁଛି ଉଗ୍ରବାଦ । ୨୦୨୨ ବର୍ଷ ଆତଙ୍କୀ ଓ ଆତଙ୍କବାଦୀ ସଂଗଠନ ପାଇଁ କାଳ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ଜାମ୍ମୁ-କାଶ୍ମୀରରେ ୯୩ଟି ଏନକାଉଁଟର ହୋଇଛି । ଏଥିରେ ୧୭୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ଡିଜିପି ଦିଲବାଗ୍ ସିଂହ ଓ କାଶ୍ମୀର ଜୋନର ଏଡିଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଲଗାତାର ସିଜ୍ ଫାୟାର ଉଲ୍ଲଙ୍ଘନ କରିବା ସହିତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସହଯୋଗ କରୁଛି । ହେଲେ ଭାରତୀୟ ସୁରକ୍ଷାବଳ  ଧର୍ଯ୍ୟର ସହିତ ସେମାନଙ୍କୁ ସାମ୍ନା କରୁଛି । ପାକିସ୍ତାନ ସମସ୍ତ ନାପାକ୍ ଯୋଜନାକୁ ପଣ୍ଡ କରୁଛି । ଯବାନଙ୍କ ଏକାଉଣ୍ଟରରେ ଗୋଟିଏ ପରେ ଗୋଟିଏ ଆତଙ୍କୀ ଟଳିପଡ଼ୁଛନ୍ତି ।

୨୦୨୨ରେ କାଶ୍ମୀର ଘାଟିରେ ୯୩ଟି ସଫଳ ଅପରେସନ ହୋଇଛି । ଭାରତୀୟ ସେନା ଆତଙ୍କବାଦୀଙ୍କ ଉପରେ ଭାରି ପଡ଼ିଛି । ସୁରକ୍ଷାବଳଙ୍କ ଏନକାଣ୍ଟରରେ ୪୨ଜଣ ପାକିସ୍ତାନ ଆତଙ୍କବାଦୀଙ୍କ ସହିତ ମୋଟ୍ ୧୭୨ଜଣ ନିହତ ହୋଇଛନ୍ତି । ଘାଟିରେ ଆକ୍ସନ ମୁଡରେ ରହିଛି ଭାରତୀୟ ସେନା । ମିଶନ ଜିରୋ ଟେରର ନୀତି ପାଇଁ ଆତଙ୍କବାଦୀ ଭର୍ତ୍ତି ମଧ୍ୟ କମିଛି । ଚଳିତ ବର୍ଷ ୩୭ ପ୍ରତିଶତ ଭର୍ତ୍ତି ହ୍ରାସ ପାଇଛି । ଲସ୍କର-ଏ-ତୈବାରେ ସର୍ବାଧିକ ଭର୍ତ୍ତି ହୋଇଛି । ୨୦୨୨ରେ ମୋଟ୍ ୬୫ଜଣ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ ।  ଏଥିମଧ୍ୟରୁ ୫୮ଜଣ ଆତଙ୍କବାଦୀ ସେନାର ଗୁଳିରେ ଟଳିପଡ଼ିଛନ୍ତି । ୧୭ଜଣ ଗିରଫ ହୋଇଥିବା ବେଳେ ୧୮ଜଣ ଏବେବି ଘାଟିରେ ସକ୍ରିୟ ରହିଛନ୍ତି ।

ଚଳିତ ବର୍ଷ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟରରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି ସେନା । ୩୬୦ ସର୍ଚ୍ଚ ଅପରେସନରେ ଏ.କ. ସରିଜର ୧୨୧ଟି ରାଇଫଲ୍, ୮ଟି ଏମ-୪ କାର୍ବାଇନ୍ ଏବଂ ୨୩୧ଟି ପିସ୍ତଲ ଜବତ ହୋଇଛି । ଏହାଛଡ଼ା ଆଇଇଡି, ଷ୍ଟିକ୍ ବମ୍ ଏବଂ ଗ୍ରେନେଡ୍  ଠାବ କରି ବଡ଼ ଧରଣର ବିସ୍ଫୋରଣକୁ ଟାଳି ଦେଇଛି ସୁରକ୍ଷାବଳ । ଗତ ୪ବର୍ଷ ମଧ୍ୟରେ ୨୦୨୨ରେ ସର୍ବାଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ଲଗାତାର ଏନକାଉଣ୍ଟର ଯୋଗୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଗତିବିଧି କମିଛି । ଗୁଳି ବିନିମୟରେ ଚଳିତ ବର୍ଷ ସର୍ବାଧିକ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ୨୦୨୩ରେ 'ମିଶନ ଜିରୋ ଟେରର' ଚାଲୁ କରାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂହ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.