ଜମ୍ମୁ-କାଶ୍ମୀରରେ ବନ୍ଦ ହେଲା ଇଂଟରନେଟ, ଗୃହବନ୍ଦୀ ହେଲେ ନେତା : ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ, କିଛି ସ୍ଥାନରେ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ

Published By : Prameya-News7 Bureau | August 05, 2019 IST

ଶ୍ରୀନଗର ୫/୮: ଧୀରେ ଧୀରେ ଗମ୍ଭୀର ହୋଇଛି ଜମ୍ମୁ-କାଶ୍ମୀରର ସ୍ଥିତି । ବନ୍ଦ ହେଲା ମୋବାଇଲ ଇଂଟରନେଟ ସେବା । ନେତାଙ୍କୁ ଗୃହବନ୍ଦୀ କରି ରଖିବା ଘଟଣା ପର୍ଯ୍ୟନ୍ତ ଅନେକ କିଛି କଥା ବୟାନ କରୁଛି । ଆଜି ସକାଳ ସାଢେ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ବସିବ କ୍ୟାବିନେଟ ବୈଠକ । ବୈଠକ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଘାଟିରେ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଜମ୍ମୁ-କାଶ୍ମୀରରେ ମୋବାଇଲ ଇଂଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । କିଛି ସ୍ଥାନରେ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଏବଂ ବରିଷ୍ଠ ନେତା ସଜଦ ଲୋନ ଗୃହବନ୍ଦୀ । ଆର୍ଟିକିଲ ୩୫-ଏ ଉଛେଦ ନେଇ ଚାଲିଥିବା ତମାମ ଚର୍ଚ୍ଚା ଭିତରେ ମଧ୍ୟରାତ୍ରିରେ ଏହି ତିନିନେତାଙ୍କୁ ଗୃହବନ୍ଦୀ କରି ରଖିବା ଘଟଣା ଅନେକ କଳ୍ପନା ଜଳ୍ପନା ସୃଷ୍ଟି କରିଛି । ଶ୍ରୀନଗରରେ ସିଆରପିସିର ଧାରା ୧୪୪ ଲାଗୁ କରାଯାଇଛି । ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ରହିବ । କୌଣସି ପ୍ରକାରର ଜନସଭା କରିବା କିମ୍ବା ରାଲି କରିବା ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.