ଜାମ୍ମୁ-କାଶ୍ମୀରରେ ହେବ କି ବିଧାନସଭା ନିର୍ବାଚନ ? ଉପରାଜ୍ୟପାଳଙ୍କ ବୟାନ ପରେ ଚର୍ଚ୍ଚା ଜୋର
6/08/2023 at 6:20 PM

ଶ୍ରୀନଗର: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ସମ୍ପର୍କରେ ଉପରାଜ୍ୟପାଳ ମନୋଜ ସିହ୍ନା ବଡ଼ ବୟାନ ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଆନୁସାରେ, ସିହ୍ନା କହିଛନ୍ତି ଯେ ପରିସୀମା ଧାର୍ଯ୍ୟ ଓ ଭୋଟର ତାଲିକାର ପୁନଃ ନିରିକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏବେ ବିଧାନସଭା ନିର୍ବାଚନ ଉପରେ ନିଷ୍ପତ୍ତି ନେବା ନିର୍ବାଚନ ଆୟୋଗର ବିଶେଷାଧିକାର ବୋଲି ଶ୍ରୀ ସିହ୍ନା କହିଛନ୍ତି।
ଏଲଜି ମନୋଜ ସିହ୍ନାଙ୍କ ଏହି ବିବୃତ୍ତି ପରେ ଖୁବ ଶୀଘ୍ର ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି। ନିର୍ବାଚନ ଆଶାରେ ଥିବା କେନ୍ଦ୍ର ଶାସିତ ଅଞ୍ଚଳର ରାଜନୈତିକ ଦଳଗୁଡ଼ିକ ଦୀର୍ଘଦିନ ହେଲା ନିର୍ବାଚନ କରାଇବା ପାଇଁ ଦାବି କରି ଆସୁଥିଲେ। ଏବେ ଉପରାଜ୍ୟପାଳଙ୍କ ବୟାନ ପରେ ନିର୍ବାଚନ ହେବା ନେଇ ଏକ ପ୍ରକାରର ଥୟ ହୋଇଥିବା ବେଳେ ସମସ୍ତଙ୍କ ନଜର ନିର୍ବାଚନ କମିଶନଙ୍କ ଉପରେ ରହିଛି।
ଏନ୍ସିପି ନେତା ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ନିର୍ବାଚନରେ ବିଳମ୍ବ ଯୋଗୁ ବିଜେପିକୁ ଦାୟୀ କରିଥିଲେ। ବିଜେପି ଡରୁଛି ବୋଲି ଟ୍ୱିଟ୍ କରି କହିଥିଲେ।
ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କୌଣସି ଆତଙ୍କବାଦୀ ଘଟଣା ଘଟିବ ନାହିଁ ବୋଲି ଲୋକମାନେ ଆଶା କରୁଛନ୍ତି। ଆମେ ଏହାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛୁ। ଜାମ୍ମୁ-କାଶ୍ମୀରର ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଉପତ୍ୟକାର ପରିବେଶ ଉପରେ ସେ କହିଛନ୍ତି ଯେ ପାକିସ୍ତାନର ପ୍ରବର୍ତ୍ତନରେ ବିଚ୍ଛିନ୍ନତାବାଦୀ ତଥା ଅନ୍ୟମାନଙ୍କର ସାଧାରଣ ଜୀବନ ବ୍ୟାହତ କରିବା କଥା ଏବେ ଇତିହାସ ହୋଇଗଲାଣି।
ସୂଚନା ଥାଉକି, ୫ ଅଗଷ୍ଟ ୨୦୧୯ ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏଥିସହିତ ରାଜ୍ୟକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ (ଜାମ୍ମୁ-କାଶ୍ମୀର ଓ ଲଦାଖ)ରେ ବିଭାଜିତ କରିଥିଲେ। ତେବେ ସମୟ ଆସିଲେ ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ହେଲେ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ।