ଜମ୍ମୁ-କାଶ୍ମୀର ଡୋଡାରେ ପୁଣି ଗୁଳି ବିନିମୟ, ୪ ଯବାନ ସହିଦ

Published By : Prameya-News7 Bureau | July 16, 2024 IST

ନୂଆଦିଲ୍ଲୀ ୧୬।୦୭: ଜମ୍ମୁ-କାଶ୍ମୀରର ଡୋଡାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆତଙ୍କୀଙ୍କ ଆକ୍ରମଣରେ ୪ ଯବାନ ସହିଦ୍ ହୋଇଛନ୍ତି । ଜଣେ ଯବାନ ଗୁରୁତର ଥିବା ସୂଚନା ରହିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବାକ, ସୋମବାର ରାତିରେ ସେନାର ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଭାରତୀୟ ସେନାକୁ ଦେଖି ଅତର୍କିତ ଗୁଳମାଡ଼ କରିଥିଲେ ଆତଙ୍କବାଦୀ । ଫଳରେ ଏହି ଆକ୍ରମଣରେ ୪ ଯବାନ ସହିଦ୍  ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।  


ଜମ୍ମୁ-କାଶ୍ମୀର ପୋଲିସର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ରାତି ପ୍ରାୟ ୮ଟା ୪୫ ମିନିଟ୍ ରେ ଦେସା ବନାଞ୍ଚଳର ଧାରି ଗୋଟେ ଉର୍ବାଗିଠାରେ ମିଳିତ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ୨୦ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ଗୁଳିମାଡ଼ରେ ଜଣେ ଅଧିକାରୀଙ୍କ ସମେତ ୪ଜଣ ସେନା ଯବାନ ଏବଂ ଜଣେ ପୋଲିସକର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ଦେସା ବନାଞ୍ଚଳରେ ଅତିରିକ୍ତ ସୈନ୍ୟ ପଠାଯାଇଛି । ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରାଯାଇଛି । ସେନାର ୧୬ କୋର, ଯାହାକୁ ହ୍ୱାଇଟ୍ ନାଇଟ୍ କର୍ପସ ମଧ୍ୟ କୁହାଯାଏ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଏହି ଅଞ୍ଚଳକୁ ଅତିରିକ୍ତ ସୈନ୍ୟ ପଠାଯାଇଛି, ଅପରେସନ୍ ଜାରି ରହିଛି ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.