ନୂଆଦିଲ୍ଲୀ ୨୪।୧୧: ଉତ୍ତରପ୍ରଦେଶ ସମ୍ଭଲରେ ଜମା ମସଜିଦ୍ ସର୍ଭେକୁ ନେଇ ରବିବାର ଉପୁଜିଥିବା ପରିସ୍ଥିତିରେ ଜମିୟତ ଉଲମା-ଏ-ହୀନ୍ଦ (ଅର୍ସଦ ମଦାନୀ) ବୟାନ ଜାରି କରିଛି। ବୟାନରେ କୁହାଯାଇଛି ମୁସ୍ଲିମ ପକ୍ଷକୁ ବିଶ୍ୱାସରେ ନ ନେଇ ଟିମ୍ ଦ୍ୱିତୀୟବାର ସର୍ଭେ କରିବାକୁ ପହଞ୍ଚିଥିଲା। ପୋଲିସ ଓ ହିନ୍ଦୁ ପକ୍ଷ ଓକିଲଙ୍କ ସହିତ ଏପରି ଲୋକେ ଥିଲେ ଯେଉଁମାନେ ମସଜିଦ୍ ପାଖ ସଡ଼କରେ ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିଲେ, ଯାହାକୁ ଶୁଣି ମୁସ୍ଲିମ ଯୁବକମାନେ ଘରୁ ବାହାରକୁ ଆସିଥିଲେ।
ଜମିୟତ ଉଲମା-ଏ-ହୀନ୍ଦ ବୟାନରେ କହିଛି ଯେ ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ପୋଲିସ ପରିସ୍ଥିତି ସମ୍ଭାଳିବା ପରିବର୍ତ୍ତେ ମୁସ୍ଲିମ ପକ୍ଷଙ୍କ ଉପରକୁ ଫାୟରିଂ କରିଥିଲା। ଫଳରେ ମୁସ୍ଲିମ ଯୁବକମାନଙ୍କ ମୃତ୍ୟୁ ହୋଇଛି। ଜମିୟତ କହିଛି ଯେ ପୋଲିସ ଗୁଳିରେ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରୁ ଲାଗୁଛି ପୋଲିସ କିଛି ଲୋକଙ୍କ ସହ ମିଶି ପୁରା ପ୍ଲାନିଂ ସହିତ ଘଟଣାକୁ ରୂପ ଦେଇଛି। ଏଣୁ ନିଜର ଦାୟିତ୍ୱ ସଠିକ ରୂପେ ପାଳନ କରିନଥିବାରୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଜମିୟତ ଦାବି କରିଥି୍ବା ବେଳେ ଉତ୍ତେଜନାମୂଳକ ସ୍ଲୋଗାନ ଦେଇ ଉତ୍ତେଜନା ସୃଷ୍ଟି କରିଥିବା ଲୋକଙ୍କ ବିରୋଧରେ ମଧ୍ୟ ମକଦ୍ଦମା କରାଯାଉ ବୋଲି ମଧ୍ୟ କହିଛି। ।
ଏ ସବୁ ମଧ୍ୟରେ ମୁରାଦାବାଦ ପୋଲିସ ଏବେ ଆଲର୍ଟ ମୋଡରେ ରହିଛି। ଘଟଣା ପରେ ପୋଲିସ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି। ସବୁ ଥାନାର ଏସଓ ଏବଂ ସିଓମାନଙ୍କ ଫ୍ଲାଗମାର୍ଚ୍ଚ କରାଯାଇଛି। ମୁରାଦାବାଦ ପୋଲିସ ସହରରେ ଶାନ୍ତି ଓ ସୁରକ୍ଷା କାୟମ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି। ଏଥି ମଧ୍ୟରେ ସହରର ସବୁ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହରରେ ଶାନ୍ତି ରହୁ ସେଥି ପାଇଁ ସବୁ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି।