ଜାମିଆ ଭିଡିଓ ୱାର: ଲାଇବ୍ରେରୀ ଭିଡିଓ ପରେ ଆସିଲା ପଥର ଭିଡିଓ, ଜାଣନ୍ତୁ କେଉଁଟି ପ୍ରଥମ
16/02/2020 at 8:03 PM

ନୂଆଦିଲ୍ଲୀ ୧୬।୨: ଗତବର୍ଷ ଡିସେମ୍ବର ୧୫ ତାରିଖ ଦିନ ନାଗରିକ ସଂଶୋଧିତ ଆଇନ (ସିଏଏ)କୁ ବିରୋଧ କରି ଜାମିଆରେ ହିଂସାକାଣ୍ଡ ଘଟିଥିଲା। ଜାମିଆ ଛାତ୍ରମାନଙ୍କୁ ପୋଲିସ ନିର୍ମମ ମାଡ ମାରିଥିବାର ଅଭିଯୋଗ ହୋଇଥିଲା। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଲ୍ଲୀ ପୋଲିସରେ ଏତଲା ଦିଆଯାଇଥିବା ବେଳେ ଏବେ ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ଦିନ ପୋଲିସ ଜାମିଆ ଲାଇବ୍ରେରୀରେ ପଶି ପାଠ ପଢୁଥିବା ଛାତ୍ରଙ୍କୁ ନିସ୍ତୁତ ମାଡ ମାରୁଥିବାର ଭିଡିଓ ରବିବାର ଭାଇରାଲ ହୋଇଛି। ଏବେ ପଛକୁ ଆଉ ଗୋଟିଏ ଭିଡିଓ ବି ଆସିଛି।

ଲାଇବ୍ରେରୀ ଭିଡିଓ ପ୍ରଘଟ ହେବା ପରେ ଏହାକୁ ନେଇ କଂଗ୍ରେସ ରାଜନୀତି ଆରମ୍ଭ କରିଥିଲା। କିନ୍ତୁ ଦ୍ୱିତୀୟ ଭିଡିଓକୁ ନେଇ କେହି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ତେବେ ଦ୍ୱିତୀୟ ଭିଡିଓଟି ହିଁ ହେଉଛି ଘଟଣାର ପ୍ରଥମ ଭିଡିଓ ଯେଉଁଥିରେ ବାହାରେ ପୋଲିସ ଉପରକୁ ଟେକାପଥର ମାଡ କରୁଥିବା ଛାତ୍ରମାନେ ମାଡ ଭୟରେ ଲାଇବ୍ରେରୀକୁ ପଶୁଥିବା ଦେଖାଯାଇଛି। ଲାଇବ୍ରେରୀକୁ ପଶିବା ବେଳେ ସେମାନଙ୍କ ହାତରେ ଢେଲା ପଥର ଥିବା ବି ଦେଖାଯାଇଛି। ଛାତ୍ରଙ୍କୁ ପିଛା କରି ଲାଇବ୍ରେରୀରେ ପଶିଥିବା ପୋଲିସ ସମସ୍ତଙ୍କୁ ମିସାଇ ପିଟିଥିଲା।

ଲାଇବ୍ରେରୀ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲା। ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଏବେ କାର୍ଯ୍ୟାନୁଷ୍ଠାନର ବେଳ ବୋଲି କହିଥିବା ବେଳେ ଗୃହମନ୍ତ୍ରୀଙ୍କ ବିନା ଅନୁମତିରେ ଏହା ହୋଇନଥାଇପାରେ ବୋଲି କହିଥିଲେ। ହେଲେ ପ୍ରଥମ ଭିଡିଓଟି ଏବେ ଆସିଯିବା ପରେ ପୁରା ମାମଲା ଥଣ୍ଡାପଡିବାରେ ଲାଗିଥିବା ବେଳେ ଘଟଣା ବେଳର ଭିଡିଓକୁ ନେଇ ଛାତ୍ରଙ୍କ ମନରେ ଏବେ ଛନକା ପଶିଛି। ଏବେ ପୁଣି ଥରେ ଗିରଫଦାରୀ ହେବାର ଆଶଙ୍କା ଦେଖାଦେଇଛି।