ଅଶ୍ଵିନଙ୍କ ପାଇଁ ବିପଦ ସାଜିଲେ ଜେମ୍ସ ଆଣ୍ଡରସନ, ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ଦୁଇ ବୋଲର
8/03/2023 at 7:33 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ବୋଲିଂ ମାନ୍ୟତାରେ ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଛଅ ପଏଣ୍ଟ ହରାଇଛନ୍ତି। ତଥାପି ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ସହ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି।
ଅଶ୍ଵିନ ଗତ ସପ୍ତାହରେ ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲେ। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଉଭୟ ଇନିଂସରେ ସେ କେବଳ ଚାରୋଟି ଓ୍ଵିକେଟ୍ ନେଇଥିଲେ।ଫଳରେ ତାଙ୍କର ରେଟିଂ ପଏଣ୍ଟ ୬ ଅଙ୍କ ହ୍ରାସ ଘଟିଛି। ଅଷ୍ଟ୍ରେଲିଆ ଏହି ମ୍ୟାଚ୍କୁ ୯ ଓ୍ଵିକେଟ୍ରେ ଜିତି ନେଇଥିଲା।
ଅଶ୍ଵିନ ଏବଂ ଆଣ୍ଡରସନଙ୍କ ସମାନ ୮୫୯ ପଏଣ୍ଟ ର ହିଛି। ଦୁନିଆର ଏକ ନମ୍ବର ଟେଷ୍ଟ ବୋଲର ହେବା ପାଇଁ ଏବେ ଖେଳାଳିଙ୍କ ମଧ୍ୟରେ କଡା ପ୍ରତିଦ୍ଵନ୍ଦ୍ଵିତା ଲାଗି ରହିଛି। କାରଣ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ, ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡା ଏବଂ ଅଷ୍ଟ୍ରେଲିଆର ସ୍ପିନର ନାଥନ ଲିୟୋନ ଦୁଇ ଶୀର୍ଷ ବୋଲରଙ୍କଠୁ ଅଧିକ ପଛରେ ନାହାନ୍ତି।
ଏ ଖବର ପଢନ୍ତୁ – ICC Test Ranking: ନମ୍ବର ୧ ବୋଲର ହେଲେ ଆର ଅଶ୍ଵିନ, ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇଲେ
ବ୍ୟକ୍ତିଗତ କାରଣରୁ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଦୁଇଟି ମ୍ୟାଚ୍ରୁ ହଟିଥିବା କମିନ୍ସଙ୍କ ୮୪୯ ପଏଣ୍ଟ ରହିଛି ଏବଂ ସେ ମାନ୍ୟତାର ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ୮ ଓ୍ଵିକେଟ୍ ନେଇଥିବା କାଗିସୋ ରାବଡା ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ଖାତାରେ ୮୦୭ ପଏଣ୍ଟ ରହିଛି। ଅଷ୍ଟ୍ରେଲିଆର ତାରକା ସ୍ପିନର ନାଥନ ଲିୟୋନ ଇନ୍ଦୋର ଟେଷ୍ଟରେ ୧୧ ଓ୍ଵିକେଟ୍ ନେବାରୁ ପାଞ୍ଚଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ପହଞ୍ଚିଛନ୍ତି।