ଟମ୍ ଲାଥମଙ୍କୁ କ୍ଲିନ ବୋଲ୍ଡ କରି ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ

Published By : Prameya-News7 Bureau | June 13, 2022 IST

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନର୍ଟିଂଘମର ଟ୍ରେଣ୍ଟ ବ୍ରିଜରେ ଖେଳାଯାଉଥିବା ତିନି ମ୍ୟାଚର ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଇତିହାସ ରଚିଛନ୍ତି । ମ୍ୟାଚର ଚତୁର୍ଥ ଦିନରେ ନ୍ୟୁଜିଲାଣ୍ଡର କାମଚଳା ଅଧିନାୟକ ଟମ୍ ଲାଥମଙ୍କୁ କ୍ଲିନ ବୋଲ୍ଡ କରି ଆଣ୍ଡରସନ ୬୫୦ ୱିକେଟ୍ ନେବାର ଉପଲବ୍ଧି ହାସଲ କରିଛନ୍ତି । ଦୁନିଆର କୌଣସି ବି ଦ୍ରୁତ ବୋଲର ଟେଷ୍ଟ କ୍ରିକେଟରେ ଏହି ସଫଳତା ହାସଲ କରି ନାହାନ୍ତି । ସବୁଠୁ ଅଧିକ ୱିକେଟ୍ ନେବା ମାମଲାରେ ଆଣ୍ଡରସନଙ୍କ ଆଗରେ କେବଳ ଦୁଇ ଜଣ ବୋଲର ମୁଥେୟା ମୁରଲୀଧରଣ ଏବଂ ସେନ ୱର୍ଣ୍ଣ ରହିଛନ୍ତି ।

୩୯ ବର୍ଷୀୟ ଜେମ୍ସ ଆଣ୍ଡରସନ ଯେଉଁଭଳି ବୋଲିଂ କରୁଛନ୍ତି, ତାହା ଦେଖିଲେ ଲାଗୁଛି ସେ ଆଗାମୀ ତିନି ଚାରି ବର୍ଷ କ୍ରିକେଟ୍ ଖେଳି ପାରିବେ । ଯଦି ଏମିତି ହୁଏ ତେବେ ସେ ଶେନ ୱର୍ଣ୍ଣଙ୍କ ରେକର୍ଡକୁ ପଛରେ ପକାଇ ଦେବାର ସମ୍ଭାବନା ରହିଛି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାର ବିଶ୍ୱ ରେକର୍ଡ ମୁରଲୀଧରଣଙ୍କ ନାମରେ ରହିଛି । ସେ ୧୩୩ଟି ଟେଷ୍ଟରେ ୮୦୦ ୱିକେଟ୍ ହାସଲ କରିଛନ୍ତି । ଏହି ତାଲିକାରେ ୧୪୫ ଟେଷ୍ଟରେ ୭୦୮ ୱିକେଟ୍ ସହିତ ଶେନ ୱର୍ଣ୍ଣ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଆଣ୍ଡରସନ ପ୍ରଥମ ଇନିଂସରେ ତିନି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ଲାଥମଙ୍କୁ ପାଭିଲିୟନ ପଠାଇ ସାରିଛନ୍ତି । ଆଣ୍ଡରସନଙ୍କ କ୍ୟାରିୟରର ଏହା ହେଉଛି ୧୭୧ତମ ଟେଷ୍ଟ । ଦ୍ରୁତ ବୋଲର ହିସାବରେ ଟେଷ୍ଟରେ ସର୍ବାଧିକ ୱିକେଟ୍ ନେବା ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରା । ସେ ୫୬୩ ୱିକେଟ୍ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.