୧୨୦ ମହିଳାଙ୍କ ସହିତ ଦୁଷ୍କର୍ମ; ଭଣ୍ଡ ଜିଲାପି ବାବାକୁ ୧୪ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

Published By : Prameya-News7 Bureau | January 11, 2023 IST

ଚଣ୍ଡିଗଡ଼: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଜିଲାପି ବାବା । ହରୟାଣାର ଫତେହବାଦରେ ଆଶ୍ରମ କରିଥିବା ବାବା ଅମରବୀରଙ୍କୁ ଜେଲ୍ ଦଣ୍ଡାଦେଶ । ଫତେହବାଦ ଜିଲ୍ଲା କୋର୍ଟ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଅତିରିକ୍ତ ଜିଲ୍ଲା ଜର୍ଜ ଅଭିଯୁକ୍ତ ଜିଲାପି ବାବାକୁ ଦୁଷ୍କର୍ମ ମାମଲାରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁଯାୟୀ, ଜିଲାପି ବାବା ହରିଆଣାର ଫତେହବାଦରେ ଏକ ଆଶ୍ରମ ଖୋଲି ସେଠାରେ ନିଜକୁ ମହନ୍ତ ବୋଲି ଦର୍ଶାଉଥିଲେ । ଦୈବୀ ଶକ୍ତି ଦ୍ବାରା ମହିଳାଙ୍କ ରୋଗ ଭଲ କରିଦେଉଥିବା ପ୍ରଚାର କରିଥିଲେ । ରୋଗ ଭଲ କରିବା ବାହାନାରେ ଚା’ରେ ନିଶା ଦେଇ ଦୁଷ୍କର୍ମ କରୁଥିଲେ । କେବଳ ଏତିକି ନୁହେଁ ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ରେକର୍ଡିଂ କରୁଥିଲେ । ପରବର୍ତ୍ତୀ ସମୟରେ ସେହି ମହିଳାମାନଙ୍କୁ ବ୍ଲାକମେଲିଂ କରି ଟଙ୍କା ଉପାର୍ଜନ କରୁଥିଲେ । ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ଚାପ ପକାଉଥିଲେ । ଏନେଇ ଫତେହବାଦ ମହିଳା ଥାନାରେ ବାବା ଅମରବୀରଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ଭଣ୍ଡବାବା ପ୍ରାୟ ୧୨୦ଜଣ ମହିଳାଙ୍କୁ ଯୌନ ଶୋଷଣ ସହ ଆର୍ଥିକ ଶୋଷଣ ମଧ୍ୟ କରୁଥିଲେ । ୨୦୧୮ରେ ଜଣେ ମହିଳାଙ୍କ ସହ ତାଙ୍କର ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ଥାନରେ ମାମଲା ରୁଜୁ ପରେ ପୋଲିସ ଫତେହବାଦର ଶକ୍ତିନଗର ଅଞ୍ଚଳରେ ଥିବା ଘର ଉପରେ ଚଢ଼ାଉ କରି ବାବାଙ୍କୁ ଗିରଫ କରିଥିଲା । ଯାଞ୍ଚ ବେଳେ ପୋଲିସ ଆତ୍ମଘୋଷିତ ଜିଲାପି ବାବାର ୧୨୦ଜଣ ମହିଳାଙ୍କ ସହିତ ଅଶ୍ଳୀଳ ଭିଡିଓ ଦେଖିବାକୁ ପାଇଥିଲା । ଏହାକୁ ଆଧାର କରି ଫତେହବାଦ ଜିଲ୍ଲା କୋର୍ଟ ଭଣ୍ଡବାବାକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୪ବର୍ଷ କାରଦଣ୍ଡ ଶୁଣାଇଛନ୍ତି  ।

ଭଣ୍ଡବାବାର ନିଜ ଘର ପଞ୍ଜାବର ମନ୍‌ସା ଜିଲ୍ଲାରେ । ଆଜକୁ ପ୍ରାୟ ୨୦ ବର୍ଷ ତଳେ ସେ ହରିଆଣା ଚାଲି ଆସିଥିଲେ । ଟୋହନା ରେଲୱେ ରୋଡ୍‌ରେ ଜିଲାପି ବିକ୍ରି ଆରମ୍ଭ କରିଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ସେ ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ସେ ଜିଲାପି ବିକ୍ରି ଛାଡି ତନ୍ତ୍ରମନ୍ତ୍ର ବିଦ୍ୟା ଆରମ୍ଭ କରିଥିଲେ । ଶେଷରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ସେ ଜିଲାପି ବାବା ଭାବେ ପରିଚିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.