କରୋଇ ଷ୍ଟେସନ ଟ୍ରାଜେଡି : ମିଳିଲା ମୃତକଙ୍କ ପରିଚୟ, ଏବେବି ଉଦ୍ଧାର କାର୍ଯ୍ୟ ଚାଲିଛି

Published By : Prameya-News7 Bureau | November 21, 2022 IST

ଯାଜପୁର ୨୧।୧୧ : ଯାଜପୁର କୋରେଇରେ ମାଲଗାଡି ଦୁର୍ଘଟଣା ପରେ ଏହି ରୁଟ୍ ରେ ଯାତାୟତ ବାଧା ପାଇଛି । ଦୁର୍ଘଟଣାସ୍ଥଳରେ ରେସକ୍ୟୁ ଅପରେସନ୍ ଜାରି ରହିଛି । ଭାଙ୍ଗିରୁଜି ଯାଇଥିବା ବଗିକୁ ହଟାଇବାକୁ ଚେଷ୍ଟା କରାଯାଉଛି । ଓଲଟି ପଡିଥିବା ୮ବଗିରୁ ୭ଟି ବଗିକୁ ଲାଇନ୍ ଉପରୁ ହଟାଇ ଦିଆଗଲାଣି । ରେଳବିଭାଗର ରିଲିଫ୍ ଟ୍ରେନ୍ ଏହି ରୁଟ୍ ରେ ଯାତାୟତ ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଉଛି । କ୍ରେନ୍ ସହାୟତାରେ ଟ୍ରେନ୍ ଲାଇନ୍ କ୍ଲିଅର କରାଯାଉଛି ।

ଖବର ଅନୁଯାୟୀ, ସୋମବାର ସକାଳ ୬ଟା ୪୪ମିନିଟରେ ଯାଜପୁର କୋରେଇ ଷ୍ଟେସନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଅଚାନକ ମାଲଗାଡିର ୮ଟି ବଗି ପ୍ଲାଟଫର୍ମ ଉପରୁ ଚଢିଯାଇଥିଲା । ଫୁଟ ଓଭର ବ୍ରିଜ ଦେହରେ ପ୍ରବଳ ବେଗରେ ଧକ୍କା ଦେବା ଫଳରେ ତାହା ଭାଙ୍ଗି ଚୁରମାର ଯାଇଥିଲା । ସେତେବେଳେ ଯାତ୍ରୀ ବିଶ୍ରାମାଗାରରେ କିଛି ଯାତ୍ରୀ ବିଶ୍ରାମ ନେଉଥିଲେ ।

ଟ୍ରେନ୍ ବଗି ଧକ୍କାରେ ଯାତ୍ରୀ ବିଶ୍ରାମାଗାର ମଧ୍ୟ ଭାଙ୍ଗି ଯାଇଥିଲା । ଏଥିରେ ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମାଗାର ଭିତରକୁ ଟ୍ରେନ ମାଡି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ପାର୍ବତୀ ବିନ୍ଧାଣି,କଣ୍ଡେଇ ବିନ୍ଧାଣି ଏବଂ ଅଫଜୁନ ବିବି । ଆହତ ୪ଜଣଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି l ବିଶ୍ରାମାଗାରରେ ସେମାନେ ଆଶ୍ରୟ ନେଇଥିବା ବେଳେ ଟ୍ରେନ୍ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଷ୍ଟେସନ ଭିତରକୁ ଯାଇ ୮ଟି ବଗି ମାଡି ଯାଇ ଓଲଟି ପଡିଥିଲା। ବିଶ୍ରାମାଗାରରେ ଅପେକ୍ଷା କରିଥିବା ଲୋକେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣାସ୍ଥଳରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜେସିବି ମେସିନ୍ ଦ୍ବାରା ଭାଙ୍ଗିଯାଇଥିବା ଖଣ୍ଡଗୁଡ଼ିକୁ ଉଠାଯାଉଛି। ରେଲୱେର ବରିଷ୍ଠ ଅଧିକାରୀ ମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.