କଂଗ୍ରେସର ତୃତୀୟ ଇସ୍ତଫା: ଦଳର ଜାତୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଲେ ଜୟବୀର ଶେରଗିଲ, କହିଲେ, ଦଳରେ ଚାଲିଛି ଚାଟୁକାରିତା
24/08/2022 at 11:41 PM

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଲେ ଜୟବୀର ଶେରଗିଲ। ଇସ୍ତଫା ପରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଶେରଗିଲ। ଯିଏ ଚାଟୁକାରିତା କଲା ଦଳରେ ତାର ସ୍ୱାର୍ଥ ଦେଖାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଦଳର ନିଷ୍ପତ୍ତି ନେବାର ଦୃଷ୍ଟିକୋଣ ଆଉ ଯୁବାଭିମୁଖୀ ହୋଇ ରହି ନାହିଁ। ବର୍ତ୍ତମାନ କଂଗ୍ରେସରେ ନିଷ୍ପତ୍ତି ନେଉ ଥବା ଲୋକମାନଙ୍କର ବିଚାରଧାରା ଓ ଦୃଷ୍ଟିକୋଣ ଆଉ ଯୁବକ ଓ ଆଧୁନିକ ଭାରତର ଆକାଂକ୍ଷା ଅନୁରୂପ ହେଉ ନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଏଭଳି କଡା ସମାଲୋଚନା କରିଛନ୍ତି ଶେରଗିଲ। ଏହି ଚିଠିରେ ଚାଟୁକାରିତା କରୁଥିବା ନେତାମାନଙ୍କ ବିଷୟରେ ବି ଉଲ୍ଲେଖ କରାଯାଇଛି। ଯାହା ହୁଏତ କଂଗ୍ରେସ ଅଧ୍ୟକ୍ଷାଙ୍କୁ କଡ଼ା ଲାଗିପାରେ।
ଶେରଗିଲ୍ ଚିଠିରେ ଲେଖିଛନ୍ତି “ ମୋତେ ଏହା କହିବାକୁ ଦୁଃଖ ଲାଗୁଛି ଯେ ନିଷ୍ପତ୍ତି ଏବେ ଜନତା ଓ ଦେଶର ହିତ ପାଇଁ ନିଆଯାଉ ନାହିଁ ବରଂ ଚାଟୁକାରିତା କରୁଥିବା ବ୍ୟକ୍ତିଙ୍କର ସ୍ୱାର୍ଥ ଓ ନିଜର ହିତ ସାଧନରେ ହେଉଛି। ତୃଣମୂଳସ୍ତରରୁ ଲଗାତର ଅଣଦେଖା କରାଯାଉଛି। ଏପରି ସ୍ଥିତିକୁ ମୁଁ ନୈତିକ ସ୍ତରରେ ସ୍ୱୀକାର କରିପାରିବି ନାହିଁ କି ଏହା ସାଙ୍ଗରେ କାମ କରିପାରିବି ନାହିଁ। ”
୩୯ ବର୍ଷୀୟ ଜୟବୀର ଶେରଗିଲ କଂଗ୍ରେସର ସବୁଠାରୁ ଯୁବ ପ୍ରବକ୍ତାମାନଙ୍କ ମଧ୍ୟରେ ଜଣେ। ହେଲେ କିଛିଦିନ ହେବ ତାଙ୍କୁ ଦଳର ମିଡିଆ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନଥିଲା। କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମା ନିଜ ନିଜ ରାଜ୍ୟରେ ଦଳର ପଦରୁ ଇସ୍ତଫା ଦେଇସାରିଥିବା ବେଳେ ଏବେ ଶେର୍ଗିଲ୍ ତୃତୀୟ ନେତା ଭାବେ ଇସ୍ତଫା ଦେଇଇଛନ୍ତି।
ଏହା ପୂର୍ବରୁ ମଧ୍ୟ ଗୋଟିଏ ପରେ ଗୋଟିଏ ବରିଷ୍ଠ ନେତା କଂଗ୍ରେସ ଛାଡ଼ି ଦେଇଛନ୍ତି। ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିର ଯୋଗ ଦେଇଥିଲେ। ବର୍ତ୍ତମାନ ସେ କେନ୍ଦ୍ର ରାଷ୍ଟ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଛନ୍ତି। ଏହାପରେ ୟୁପିର ମନ୍ତ୍ରୀ ଜିତେନ ପ୍ରସାଦ, ଚଳିତ ବର୍ଷ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ କୁମାର, ଆର୍ପିଏନ୍ ସିଂହ ଓ କପିଲ ଶିବଲ ଦଳରୁ ଇସ୍ତଫା ଦେଇସାରିଛନ୍ତି।