ଆମେରିକାର ଦବଦବା କମ ହେଉଛି, ୨୦୩୦ ସୁଦ୍ଧା ଦୁନିଆରେ ଅନେକ କିଛି ବଦଳିବ; ଏସ୍ ଜୟଶଙ୍କର ଭବିଷ୍ୟତବାଣୀ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ: ଆଗାମୀ ୧୦ ବର୍ଷରେ ଦୁନିଆରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର କହିଛନ୍ତି । ଆମେରିକାର ସ୍ଥିତି ପୂର୍ବ ପରି ନାହିଁ ଏବଂ ଏହାର ଦବଦବା କମ ହେଉଛି । ସେ କହିଛନ୍ତି ଯେ ଏପରି ସମୟରେ ଆମ ଦେଶ ମଜଭୁତ ହାତରେ ରହିବା ଜରୁରୀ । ଜୟଶଙ୍କର କହିଛନ୍ତି ଯେ ୨୦୩୦ ସୁଦ୍ଧା ଦୁନିଆ ବଦଳି ଯାଇଥିବ । ବିଶ୍ୱ ଶକ୍ତି ସନ୍ତୁଳନର ଏହି ଆକଳନରେ ବିଦେଶ ମନ୍ତ୍ରୀ ନିଜ ୫୦ ବର୍ଷର ଅନୁଭବ ଆଧାରରେ କିଛି ଚିନ୍ତାଜନକ ତଥ୍ୟ ମଧ୍ୟ ଦେଇଛନ୍ତି । ଜୟଶଙ୍କର କହିଛନ୍ତି ଯେ ଆଜି ଦୁନିଆରେ ସଂଘର୍ଷ, ଉତ୍ତେଜନା ଏବଂ ବିଭାଜନ ସ୍ଥିତି ରହିଛି । 

ସେ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ, ଗାଜାର ସଂଘର୍ଷ, ଲୋହିତ ସାଗରରେ ଆକ୍ରମଣ, ଦକ୍ଷିଣ ଚୀନ ସାଗରରେ ଉତ୍ତେଜନା ଏବଂ ଅନ୍ୟ ସ୍ଥାନରେ ଆତଙ୍କବାଦୀଙ୍କ ଆହ୍ୱାନ ଏବଂ ନୂଆ ଟେକ୍ନୋଲଜି ଆସିବା ଏହି ଅସ୍ଥିରତାର ମୁଖ୍ୟ କାରଣ ଅଟେ । ଆମ ସାମନାରେ ଏଲଏସିରେ ଚୀନ ସହ ସମସ୍ୟା ଅଛି, କିନ୍ତୁ ଅନ୍ୟ ଦେଶଙ୍କ ମଧ୍ୟ ଚୀନ ସହ ଅଲଗା ଅଲଗା ପ୍ରସଙ୍ଗ ରହିଛି । ଏହାସହ ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ବଢିଛି ।

ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଆମେରିକା ଆଜି ବି ଦୁନିଆର ମହାଶକ୍ତି ଅଟେ କିନ୍ତୁ ଆପଣ କହିପାରିବେ ଯେ ପୂର୍ବ ତୁଳନାରେ ଏହା ପଛରେ ଥିବା ଶକ୍ତିଗୁଡ଼ିକ ଆଜି ତାର ନିକଟରେ ପହଞ୍ଚିଛନ୍ତି । ଦୁନିଆକୁ ନେଇ ଆମେରିକାର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି । ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଗତ ୨୫ ବର୍ଷରେ ଦୁନିଆ ଏକ ଖାସ୍ କ୍ଷେତ୍ର ଫ୍ୟାକ୍ଟ୍ରି ରୂପେ ସାମନାକୁ ଆସିଥିଲା ଏବଂ ସାରା ଦୁନିଆର ମେନ୍ୟୁଫେକଚରିଂ ସେଠାରେ କେନ୍ଦ୍ରୀତ ହୋଇଛି, ଯାହା ଦ୍ୱାରା ଅନ୍ୟ ଦେଶଙ୍କୁ କ୍ଷତି ହୋଇଛି ଏବଂ ସେମାନଙ୍କ କ୍ଷମତା ଦୁର୍ବଳ ହୋଇଛି । ଏବେ ସାରା ଦୁନିଆର ମେନ୍ୟୁଫେକ୍ଚରିଂର ବିକେନ୍ଦ୍ରୀକରଣ ଉପରେ ଧ୍ୟାନ ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.